ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ବିଜେପିର ବିଜୟ ସମ୍ବର୍ଦ୍ଧନା ଉତ୍ସବରେ ହେବେ ସାମିଲ ।

133

କନକ ବ୍ୟୁରୋ: ଦିଲ୍ଲୀ ଗସ୍ତା ସାରି ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଫେରିଛନ୍ତି । ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଗୃହମନ୍ତ୍ରୀ, ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି । ଦିଲ୍ଲୀରେ ଓଡିଶା ବିକାଶର ଚିତ୍ର ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ମୋହନ ମାଝି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ । ଆଉ ନଡ୍ଡାଙ୍କ ସହ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।

ନିର୍ବାଚନ ସମୟରେ ବିଜେପି ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ ପ୍ରତିଶ୍ରୃତି ଦେଇଥିଲା । ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ ବିଜେପି ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଥିବାରୁ ଶାସନ ଓ ସରକାର ମଧ୍ୟରେ କିଭଳି ସମନ୍ୱୟ ରହିବ ସେନେଇ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି ।

ଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱରରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବେ । ଏଥିରେ ଦଳର ସମସ୍ତ ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଦିଆଯିବ ସମ୍ବର୍ଦ୍ଧନା । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମୋଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିବେ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ଚଳିତ ନିର୍ବାଚନରେ ବିପୁଳ ବିଜୟ ପରେ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଦେବାକୁ ଦଳ ପକ୍ଷରୁ ବଡ଼ ଆୟୋଜନ କରାଯାଇଛି । ସାଧାରଣ ନିର୍ବାଚନରେ ବିଧାନସଭାରେ ୭୮ଟି ଆସନରେ ବିଜୟୀ ହୋଇ ଦଳ ରାଜ୍ୟରେ ସରକାରକୁ ଆସିଥିବା ବେଳେ ଲୋକସଭାରେ ମୋଟ ୨୧ଆସନରୁ ୨୦ଟିରେ ଦଳ ବାଜିମାତ କରିଛି । ଏହାକୁ ନେଇ ଦଳୀୟ କର୍ମୀ ଓ ନେତା ଉତ୍ସାହିତ ଥିବା ବେଳେ ଆଜି ସ୍ୱାଗତ ସମ୍ଭର୍ଦ୍ଧନା ଉତ୍ସବ ପାଳନ କରାଯିବ ବୋଲି ଜଣାପଡିଛି ।