କନକ ବ୍ୟୁରୋ : ନ୍ୟାୟ ବ୍ୟବସ୍ଥା ଲୋକମାନଙ୍କ ପାଇଁ ଅନୁକୂଳ ହେବା ଆବଶ୍ୟକ । ଯଦି ଆଇନଗତ ଢାଞ୍ଚାରେ ପରିବର୍ତ୍ତନ କରି ନ୍ୟାୟିକ ବ୍ୟବସ୍ଥାକୁ ଜନସାଧାରଣଙ୍କ ପାଇଁ ଅନୁକୂଳ କରା ନଯାଏ ତେବେ ପ୍ରକୃତ ଉଦ୍ଦେଶ୍ୟ ସାଧିତ‌ ହେବ ନାହିଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା କହିଛନ୍ତି । କଟକରେ ଓଡ଼ିଶା ଆଇନସେବା ପ୍ରାଧିକରଣର ନୂଆ କୋଠା ଆଇନସେବା ଭବନକୁ ଉଦଘାଟନ କରିବା ଅବସରରେ ଓଡ଼ିଶା ଜୁଡିସିଆଲ ଏକାଡେମିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନ ବିଚାରପତି ଭାରତୀୟ ବିଚାର ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଭାରତୀୟକରଣ ଉପରେ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଥିଲେ ।

Advertisment

publive-image

ସେ କହିଥିଲେ ଯେ ସ୍ବାଧୀନତାର ୭୪ ର୍ଷ ପରେ ବି ସାଧାରଣ ଲୋକ ଅଦାଲତଙ୍କ ଆଶ୍ରୟ ନେବାକୁ ଦ୍ବିଧା ପ୍ରକାଶ କରୁଛନ୍ତି। ପାରମ୍ପରିକ ସମାଜରେ ପୁରୁଣା ପ୍ରଥା ଅନୁସରଣ କରି ଜୀବନ ବିତାଉଥିବା ଲୋକ ଅଦାଲତଙ୍କ ଦ୍ବାରସ୍ଥ ହେବାକୁ ସଂକୋଚ କରୁଛନ୍ତି । ଆମ ଅଦାଲତ ଗୁଡିକରେ ଜାରି ରହିଥିବା ଅଭ୍ୟାସ, ପ୍ରକ୍ରିୟା, ଭାଷା ଓ ଅନ୍ୟ ସବୁ କିଛି ସେମାନଙ୍କୁ ଅପରିଚିତ ମନେ ହେଉଛି । ଆଇନ ଗୁଡିକରେ ଥିବା ଭାଷା ଓ ନ୍ୟାୟ ପ୍ରଦାନ ପ୍ରକ୍ରିୟାର ଜଟିଳତା ଭିତରେ ସାଧାରଣ ଲୋକ ନିଜ ଅଭିଯୋଗର ଭାଗ୍ୟ ଭବିଷ୍ୟତ ଉପରେ ନିୟନ୍ତ୍ରଣ ରଖି ପାରେ ନାହିଁ । ଏଭଳି ସ୍ଥିତିରେ ନ୍ୟାୟ ଲୋଡ଼ୁଥିବା ବ୍ୟକ୍ତି ନିଜକୁ ଜଣେ ବାହାର ଲୋକ ବୋଲି ମନେ କରିଥାଏ । ସାମାଜିକ ବାସ୍ତବିକତାକୁ ଅନେକ ସମୟରେ ଆମ ନ୍ୟାୟିକ ବ୍ୟବସ୍ଥା ବିଚାରକୁ ନେବାରେ ବିଫଳ ହୋଇଥାଏ । ଆଇନ ପ୍ରଣୟନ କରିବା ଅଦାଲତଙ୍କ ଦାୟିତ୍ବ ବୋଲି ସାଧାରଣ ଭାବେ ଲୋକମାନେ ଭାବିଥାନ୍ତି । ଏଭଳି ଧାରଣା ଦୂର ହେବା ଉଚିତ ।

publive-image

ଆମ ଆଇନ ବାସ୍ତବିକତା ଅନୁରୂପ ହେବା ଉପରେ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଛନ୍ତି। ସାମ୍ବିଧାନିକ ଆକାଙକ୍ଷା ପୂରଣ ପାଇଁ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ ସଭା ଏକତ୍ର କାର୍ଯ୍ୟ କରିବା ଉଚିତ।  ଏହାଦ୍ବାରା ବିଚାରବିଭାଗ ଆଇନ ପ୍ରଣୟନକାରୀ ଭୂମିକା ନିର୍ବାହ କରିବା ପାଇଁ ବାଧ୍ୟ ହେବ ନାହିଁ ଓ ନିଜ ଦାୟିତ୍ବ ସଂପାଦନ କରି ପାରିବ। ଆଞ୍ଚଳିକ ଓ ଅର୍ଥନୈତିକ ଅସମାନତା ନ୍ୟାୟ ପ୍ରଦାନ ପ୍ରକ୍ରିୟା ନିକଟରେ ପହଞ୍ଚିବା କ୍ଷେତ୍ରରେ ଆହ୍ବାନ ସୃଷ୍ଟି କରିଛି । ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶାରେ ଜନସଂଖ୍ୟାର ୮୩.୩ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି । ଅନେକ ସମୟରେ ସେମାନେ ଔପଚାରିକ  ନ୍ୟାୟ ପ୍ରଦାନ ପ୍ରକ୍ରିୟା ବାହାରେ ରହୁଥିବା ପରିଲକ୍ଷିତ ହେଉଛି । ଏଣୁ ଆଇନ ସେବା  ଅନୁଷ୍ଠାନର ଏଭଳି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଇନ ସଚେତନତା ସୃଷ୍ଟି ଓ ଆଇନ ଶିକ୍ଷାର ପ୍ରଚାର ପ୍ରସାର କରି ଆଇନସେବା ଅନୁଷ୍ଠାନ ଲୋକମାନଙ୍କୁ ନ୍ୟାୟିକ ପ୍ରକ୍ରିୟାର ନିକଟତର କରି ପାରିବେ। ଆଇନସେବା ପ୍ରାଧିକରଣ ଗୁଡିକ ବିଚାର ବ୍ୟବସ୍ଥାର ଅଭିନ୍ନ ଅଙ୍ଗ । ନ୍ୟାୟ ପ୍ରଦାନ ପ୍ରକ୍ରିୟା ଉପରେ ନାଗରିକଙ୍କ ରହିଥିବା ବିଶ୍ବାସକୁ ଦୃଢ କରିବା ପାଇଁ ବାର୍ ଓ ବେଞ୍ଚ୍ ସଂଯୋଜକ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

publive-image

ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ଉପରେ ପ୍ରଧାନ ବିଚାରପତି ଆଲୋକପାତ କରିଥିଲେ। କଟକ ବାର୍ ଆସୋସିଏସନ୍ ଦେଶର ଏକ ପୁରାତନ ବାର୍ ଆସୋସିଏସନ୍ । ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ ଦାସ, ଜାନକୀନାଥ ବୋଷ, ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ରଙ୍କ ଭୂମିକା ଉପରେ ମଧ୍ୟ ପ୍ରଧାନ ବିଚାରପତି ଆଲୋକପାତ କରିଥିଲେ । ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ଭିତ୍ତିଭୂମି ପ୍ରସଂଗରେ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ ଓ ସମର୍ଥନକୁ  ପ୍ରଧାନ ବିଚାରପତି ପ୍ରସଂଶା କରିଥିଲେ । ଏହି ଉତ୍ସବରେ ଜାତୀୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁ.ୟୁ. ଲଳିତ ଉଦବୋଧନ ଦେଇ ଓଡିଶା ହାଇକୋର୍ଟର ଭିତ୍ତିଭୂମିର ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଭିନିତ ସରଣ ଏହି ଆଇନ ସେବା ଭବନ ନ୍ୟାୟିକ ସଚେତନତା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଥିଲେ । ଏହି ଉତ୍ସବରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ସ୍ୱାଗତ ଭାଷଣ ପ୍ରଦାନ କରି ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଅଧିକରୁ ଅଧିକ ମହିଳା ବିଚାରପତିଙ୍କ ଯୋଗଦାନ ଏକ ସକରାତ୍ମକ ସଙ୍କେତ ବୋଲି କହିଥିଲେ ।