ସୁପ୍ରିମକୋର୍ଟରେ ଏକାସଙ୍ଗେ ଶପଥ ନେଲେ ୯ ଜଣ ବିଚାରପତି : ୩ ମହିଳାଙ୍କ ସମେତ ଜଣେ ବରିଷ୍ଠ ଆଇନଜୀବୀ ଜଜ୍ ଭାବେ ନେଲେ ଦାୟିତ୍ୱ

ଜଷ୍ଟିସ୍ ବି. ଭି ନାଗରତ୍ନା ୨୦୨୭ରେ ହୋଇପାରନ୍ତି ଦେଶର ପ୍ରଥମ ମହିଳା ମୁଖ୍ୟ ବିଚାରପତି

539

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଆଜି ପ୍ରଥମ ଥର ଏକା ସଙ୍ଗେ ଶପଥ ନେଲେ ୯ ଜଣ ବିଚାରପତି । ଏମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଜଜ୍ । ଅନ୍ୟ ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ ସିଧାସଳଖ ସୁପ୍ରିମକୋର୍ଟ ଜଜ୍ ଭାବେ ନିଯୁକ୍ତ ହୋଇଛନ୍ତି । ଜଷ୍ଟିସ୍ ଏ. ଏସ୍ ଓକା, ଜଷ୍ଟିସ୍ ବିକ୍ରମ୍ ନାଥ, ଜଷ୍ଟିସ୍ ଜେ. କେ ମାହେଶ୍ୱରୀ, ଜଷ୍ଟିସ୍ ହିମା କୋହଲୀ, ଜଷ୍ଟିସ୍ ବି. ଭିି ନାଗରତ୍ନା, ଜଷ୍ଟିସ୍ ବେଲା ତ୍ରିବେଦୀ, ଜଷ୍ଟିସ୍ ସି.ଟି ରବିନ୍ଦ୍ର କୁମାର, ଜଷ୍ଟିସ୍ ଏମ୍. ଏମ୍ ସୁନ୍ଦରେଶ ଓ ବରିଷ୍ଠ ଆଇନଜୀବୀ ପି.ଏସ୍ ନରସିହ୍ମା ସୁପ୍ରିମକୋର୍ଟ ଜଜ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏମାନଙ୍କ ମଧ୍ୟରୁ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ବି. ଭି ନାଗରତ୍ନା ଓ ପି. ଏସ୍ ନରସିହ୍ମା ଭବିଷ୍ୟତରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହୋଇପାରନ୍ତି । ବର୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ କୌଣସି ମହିଳା ଚିଫ୍ ଜଷ୍ଟିସ୍ ନାହାନ୍ତି । ସେପ୍ଟେମ୍ବର ୨୦୨୭ରେ ଜଷ୍ଟିସ୍ ନାଗରତ୍ନା ପ୍ରଥମ ମହିଳା ଚିଫ୍ ଜଷ୍ଟିସ୍ ହୋଇପାରନ୍ତି ।୧୯୬୨ ଅକ୍ଟୋବର ୩୦ରେ ଜନ୍ମିତା ବିଚାରପତି ନାଗରତ୍ନ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ଇ ଏସ୍‌ ଭେଙ୍କଟରମୈୟାଙ୍କ କନ୍ୟା। ୧୯୮୭ ଅକ୍ଟୋବର ୨୮ରେ ସେ ଜଣେ ଆଡ୍‌ଭୋକେଟ୍‌ ଭାବେ ପଞ୍ଜିକୃତା ହୋଇ ସମ୍ବିଧାନ, ବାଣିଜ୍ୟ, ବୀମା ଏବଂ ଚାକିରି ଆଦି ମାମଲାର ମୋକଦ୍ଦମା ଲଢୁଥିଲେ।

୧୯୫୦ ମସିହା ଜାନୁଆରି ୨୬ରୁ କାର୍ଯ୍ୟକ୍ଷମ ହୋଇଥିବା ସୁପ୍ରିମ୍‌ କୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟ ଖୁବ୍‌ ନଗଣ୍ୟ ରହିଆସିଛି। ଗତ ୭୧ ବର୍ଷରେ ମାତ୍ର ୮ଜଣ ମହିଳା ବିଚାରପତି ସୁପ୍ରିମ୍‌ କ‌ୋର୍ଟରେ ନିଯୁକ୍ତି ପାଇଛନ୍ତି। ୧୯୮୯ରେ ପ୍ରଥମେ ନିଯୁକ୍ତି ପାଇଥିଲେ ଏମ୍‌ ଫତିମା ବିବି । ପ୍ରଥମ ଥର ପାଇଁ ବିଚାରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଦୂରଦର୍ଶନରେ ସିଧାପ୍ରସାରଣ କରାଯାଇଥିଲା । ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ସମାରୋହ ସୁପ୍ରିମକୋର୍ଟ ନୂଆ ଭବନରେ ହୋଇଥିବା ସଭା ଗୃହରେ ହୋଇଛି । ଏହି ସଭା ଗୃହରେ ୯୦୦ ଲୋକ ବସିବାର ବ୍ୟବସ୍ଥା ରହିଛି ।