କନକ ବ୍ୟୁରୋ : ଟେସଲା କମ୍ପାନୀର ସିଇଓ ଏଲନ ମସ୍କଙ୍କ ଟ୍ୱିଟର ସହ ହୋଇଥିବା ଚୁକ୍ତିକୁ ନେଇ ଏବେ ଏକ ବଡ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଯୋଜନା ପ୍ରସ୍ତୁତି ଟ୍ୱିଟର କର୍ମଚାରୀଙ୍କ ଚାକିରି ପ୍ରତି ବିପଦ ଥିବା କୁହାଯାଉଛି । ଏହି ଚୁକ୍ତିକୁ ନେଇ ନିବେଶକଙ୍କ ସହ ଆଲୋଚନା ବେଳେ ମସ୍କ ଇଶାରା ଦେଇଛନ୍ତି କି, ଟ୍ୱିଟରରେ ଥିବା ୭୫ ହଜାର କର୍ମଚାରୀଙ୍କ ମଧ୍ୟରୁ ୭୫ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇ ପାରେ । ମସ୍କଙ୍କ ଏହି ଇଶାରା ସାମ୍ନାକୁ ଆସିବା ପରେ ଟ୍ୱିଟର କର୍ମଚାରୀଙ୍କ ଭିତରେ ଭୟର ବାତାବରଣ ଦେଖା ଦେଇଛି । ହେଲେ ଟ୍ୱିଟର ଇଙ୍କ୍ ତରଫରୁ ଏହି ରିପୋର୍ଟକୁ ଖଣ୍ଡନ କରାଯାଇଛି । ଟ୍ୱିଟର ଇଙ୍କ୍ କହିଛି ଯେ ଏବେ କର୍ମଚାରୀ ଛଟେଇ କରିବାର କୌଣସି ଯୋଜନା ନାହିଁ ।
ଟ୍ୱିଟରର ଜେନରାଲ କାଉଁସିଲ ମେମ୍ବର ସିନ ଏଗଗେଟ୍ କହିଛନ୍ତି ଯେ ଏଭଳି ଭାବେ ଲିକ୍ ହୋଇଥିବା ତଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ମୁଖ୍ୟତଃ ୱାସିଂଟନ ପୋଷ୍ଟ ତରଫରୁ ଏକ ଇଣ୍ଟରଭ୍ୟୁ ଓ ଡକ୍ୟୁମେଣ୍ଟସ୍ ଆଧାରରେ ଏହି ଛଟେଇ ବାବଦରେ ସୂଚନା ଦେଇଥିଲା । ରିପୋର୍ଟ ମୁତାବକ ଆଗାମୀ ମାସରେ କର୍ମଚାରୀ ଛଟେଇ ନେଇ ଆଶଂକା କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀର ମାଲିକ ଯିଏ ବି ହୁଅନ୍ତୁ ହେଲେ ଆସନ୍ତା ବର୍ଷ ସୁଦ୍ଧା କମ୍ପାନୀ ପେରୋଲରୁ ପାଖାପାଖି ୮୦ କୋଟି ଡଲାର କମ୍ କରିବ ବୋଲି ଯୋଜନା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/27-11.jpg)