କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ ।
ପ୍ରଥମେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଧାମରାରେ ପହଞ୍ଚି ଜାମୁଝାଡିରୁ ଧାମରା ପର୍ୟ୍ୟନ୍ତ ଦୁଇସାରିଆ ରାସ୍ତାର ନିର୍ମାଣ କାର୍ୟ୍ୟ, ଚାନ୍ଦବାଲିରୁ ଧାମରା ପର୍ୟ୍ୟନ୍ତ ସଡ଼କ ସଂଯୋଗ ପାଇଁ ମନ୍ତେଇ ନଦୀ ସେତୁ କାର୍ୟ୍ୟ, ଭଦ୍ରଖ ଧାମରା ରେଳଲାଇନ ଦୋହରୀକରଣ, ଧାମରାଠାରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବାଲିମେଳାଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ, ଧାମରା ବନ୍ଦରରେ ଏଲ୍.ଏନ୍.ଜି. ଗ୍ୟାସ ଟର୍ମିନାଲ ଏବଂ ପାଇପଯୋଗେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗ୍ୟାସ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ଆଦି କାର୍ୟ୍ୟର ସମୀକ୍ଷା କରିଥିଲେ ।
ସମୀକ୍ଷାରୁ ଜଣାପଡିଥିଲା ଯେ, ଜାମୁଝାଡିରୁ ଧାମରା ରାସ୍ତା ନିର୍ମାଣ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଅବଶିଷ୍ଟ କାମ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ପୂର୍ବରୁ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ମନ୍ତେଇ ନଦୀସେତୁ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିଲା । ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ନିମନ୍ତେ ପ୍ରଥମ ପର୍ୟ୍ୟାୟରେ ୧୨ଶହଏକର ଜମି ଏବଂ ଧାମରା ଏୟାର ଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବନ୍ଦରରେ ବାର୍ଷିକ ୫ ନିୟୁତ କ୍ଷମତା ବିଶିଷ୍ଟ ଏଲ୍.ଏନ୍.ଜି. ଗ୍ୟାସ୍ ଟର୍ମିନାଲ୍ ନିର୍ମାଣ କାର୍ୟ୍ୟରେ ଅଗ୍ରଗତି ସନ୍ତୋଷଜନକ ହୋଇଛି । ଏଥିରେ ପ୍ରାୟ ୬୫୦୦ କୋଟି ଟଙ୍କା ବିନିଯୋଗ ହେବ, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ଟର୍ମିନାଲ ଓଡ଼ିଶା ସମେତ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଗ୍ୟାସ୍ ପରିବହନରେ ସହାୟକ ହେବ ।
ପରେ ପରେ ଏହି ଟିମ୍ ଆରଡ଼ି ଧାମ ଯାଇ ଆଖଣ୍ଡଳମଣି ମନ୍ଦିର ବିକାଶ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ୟ୍ୟାନ୍ୱୟନ ସମୀକ୍ଷା କରିଥିଲେ । ପ୍ରଥମ ପର୍ୟ୍ୟାୟରେ ହାତକୁ ନିଆଯାଇଥିବା ମନ୍ଦିରର ନୂଆ ସିଂହଦ୍ୱାର ନିର୍ମାଣ, ଶ୍ରାବଣମାସରେ ବାବା ଆଖଣ୍ଡଳମଣିଙ୍କ ଜଳାଭିଷେକ ପାଇଁ ଶ୍ରାବଣୀ ମଣ୍ଡପ ନିର୍ମାଣ, ଗଣେଶ ମଣ୍ଡପର ନବୀକରଣ, ଟ୍ରଷ୍ଟ୍ କାର୍ୟ୍ୟାଳୟ, ମନ୍ଦିର ଭିତରୁ ବାହାରକୁ ଜଳ ନିଷ୍କାସନ ବ୍ୟବସ୍ଥା, ମନ୍ଦିର ବେଢ଼ା ଭିତରେ ଖଣ୍ଡାଲାଇଟ୍ ପଥର ଦ୍ୱାରା ଚର୍ତୁପାର୍ଶ୍ୱ ସୌନ୍ଦର୍ୟ୍ୟକରଣ, ମନ୍ଦିରର ନୂଆ ପାଚେରୀ ନିର୍ମାଣ, ମନ୍ଦିରର ଚାରିଦିଗସ୍ଥ ଗୁମୁଟର ନବୀକରଣ ଓ ବୃକ୍ଷରୋପଣ ଆଦି କାର୍ୟ୍ୟ ଆରମ୍ଭ କରାଯାଇଛି । ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ଏହିସବୁ କାମ ନଭେମ୍ବର ୩୦ ତାରିଖ ସୁଦ୍ଧା ସାରିବା ପାଇଁ ୫-ଟି ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରକଳ୍ପର ୨ୟ ପର୍ୟ୍ୟାୟ ପାଇଁ ଉଭୟ ଅଧିକାରୀ ମନ୍ଦିରର ସେବାୟତ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ଆରଡ଼ି ମନ୍ଦିରକୁ ସଡ଼କ ସଂଯୋଗ ପାଇଁ ସାଳନ୍ଦୀ ନଦୀ ତିନିତର ଘାଟ ନିକଟରେ ସେତୁ ନିର୍ମାଣ କାର୍ୟ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈତରଣୀ ନଦୀଉପରେ ପୋଲ ନିର୍ମାଣ ଏବଂ ସେବାୟତମାନଙ୍କର ଅଭାବ ଅସୁବିଧା ଆଦି ବିଷୟ ସେବାୟତମାନେ ଏହି ଟିମକୁ ଜଣାଇଥିଲେ । ଏ ବିଷୟକୁ ସରକାର ସହୃଦୟତାର ସହ ବିଚାର କରି ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ପ୍ରସିଦ୍ଧ ଆରଡ଼ିପୀଠର ସର୍ବାଙ୍ଗୀନ ବିକାଶ ପାର୍ଇ ୫-ଟି ସଚିବ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଗସ୍ତ ସମୟରେ ଭଦ୍ରଖର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ,ଏସ୍.ପି.ଚରଣ ସିଂ ମୀନାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।