ଛୋଟା ରାଜନକୁ ମିଳିଲା ବଡ ଝଟକା! ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ଡନ୍, ସାମ୍ବାଦିକ ହତ୍ୟା ମାମଲାରେ ରାଜନ ସମେତ ୯ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ କଲେ ମକୋକା କୋର୍ଟ

41

ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଆଜୀବନ କାରାଦଣ୍ଡାଦେଶ । ସାମ୍ବାଦିକ ଜେଡି ହତ୍ୟାକାଣ୍ଡ ମାମଲାରେ ଏହି ଦଣ୍ଡାଦେଶ ଦେଇଛନ୍ତି ମକୋକା କୋର୍ଟ । ରାଜନଙ୍କ ସମେତ ଅନ୍ୟ ୮ ଜଣଙ୍କୁ ମଧ୍ୟ ଆଜବୀନ କାରାଦଣ୍ଡାଦେଶ ହୋଇଛି । ୨୦୧୧ ଜୁନ ୧୧ ତାରିଖରେ ମୁମ୍ବାଇର ଜନଗହଳିପୂର୍ଣ୍ଣ ଅଂଚଳରେ ଇଂରାଜୀ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ଜ୍ୟୋର୍ତିମୟ ଦେଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଆଜି କୋର୍ଟ କହିଛନ୍ତି, ଛୋଟା ରାଜନଙ୍କ ଇସାରାରେ ହିଁ ହୋଇଥିଲା ହତ୍ୟାକାଣ୍ଡ ।

ଦୀର୍ଘ ୭ବର୍ଷ ପରେ ସ୍ୱତନ୍ତ୍ର ମକୋକା କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହା ପୁଣିଥରେ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସମସ୍ତଙ୍କ ଆସ୍ଥାକୁ ବଢାଇ ଦେଇଛି । ସାମ୍ବାଦିକ ଜେଡେ ଅର୍ଥାତ ଜ୍ୟୋତିର୍ମୟ ଡେ ହତ୍ୟା ମାମଲାରେ ମହାରାଷ୍ଟ୍ର କଂଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ବଳରେ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ପୁରା ହତ୍ୟାକାଣ୍ଡର ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଥିଲା ଛୋଟା ରାଜନ୍ । ଯେଉଁଥିପାଇଁ ସକାଳେ ତାକୁ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ୮ଜଣ ସହଯୋଗୀଙ୍କୁ ମଧ୍ୟ ମକୋକା କୋର୍ଟ ଆଜୀବନ କାରା ଦାଣ୍ଡାଦେଶ କରିଛନ୍ତି । ଏବେ ମୃତ୍ୟୁ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲରେ ରହିବ ଡନ୍ ଛୋଟା ରାଜନ ।

୨୦୧୧ ଜୁନ୍ ୧୧ରେ ସାମ୍ବାଦିକ ଜେଡେଙ୍କୁ ହତ୍ୟା କରାଯାଇଥିଲା । ବିଦେଶରେ ରହି ଛୋଟା ରାଜନ ଦେଉଥିବା ନିର୍ଦ୍ଦେଶକୁ ରୂପ ଦେଇଥିଲେ ସତୀଶ କାଲିଆ ଓ ତାର ସହଯୋଗୀ । ଆଉ ୧୧ ତାରିଖ ଦିନ ପୱାଇ ବାସଭବନ ଆଗରେ ଜେଡେଙ୍କୁ ୫ଟି ଗୁଳି ମାରିଥିଲା କାଲିଆ । ରାଜନ ଅନୁଭବ କରୁଥିଲା ଯେ, ସାମ୍ବାଦିକ ଜ୍ୟୋତି ଡେ, ଦାଉଦର ଇସାରାରେ କାମ କରୁଛନ୍ତି ଓ ତା ବିରୋଧରେ ଗଣମାଧ୍ୟମରେ ଲେଖାଲେଖି କରୁଛନ୍ତି । ଯେଉଁଥିପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଛୋଟା ରାଜନ୍ ।

ବିଦେଶରେ ରହି ଭାରତ ମାଟିରେ ଚଳାଇଥିବା ବିଭିନ୍ନ ଅପରାଧିକ କାଣ୍ଡ ପାଇଁ ୨୦୧୫ ଅକ୍ଟୋବରରେ ଇଣ୍ଡୋନେସିଆ ବାଲିରୁ ଛୋଟା ରାଜନକୁ ଗିରଫ କରାଯାଇଥିଲା । ଆଉ ପ୍ରତ୍ୟର୍ପଣ ଚୁକ୍ତି ବଳରେ ଭାରତ ଆସିବା ପରେ ସାମ୍ବାଦିକା ଜେଡେ ହତ୍ୟା ମାମଲାରେ ତନାଘନା ଆରମ୍ଭ ହେଲା । ତା ବିରୋଧରେ ୩ ହଜାର ୫୫ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରିଥିଲା ପୋଲିସ । ଦିଲ୍ଲୀରେ ତିହାର ଜେଲରେ ବନ୍ଦୀ ଛେଟା ରାଜନ୍ ଭିଡିଓ କନଫରେନସିଂ ଜରିଆରେ ମକୋକା କୋର୍ଟରେ ହାଜର ହେଉଥିଲା । ସରକାରୀ ଓକିଲ ତାପାଇଁ ମୃତ୍ୟୁଦଣ୍ଡ ମାଗିନଥିଲେ ଆଉ ସଜା କଣ ହେବ ସେ ନିଷ୍ପତି କୋର୍ଟଙ୍କ ଉପରେ ଛାଡିଥିଲେ । ମୋଟ ୧୧ ଅଭିଯୁକ୍ତଙ୍କ ଭିତରୁ ଦୁଇଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଛୋଟା ରାଜନ ସମେତ ୯ଜଣଙ୍କୁ ଆଜୀବନ କାରାଦଣ୍ଡ ଓ ୨୬ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି ।