ଏବେ ବି ବଞ୍ଚିଛି ଦାଉଦର ସବୁଠାରୁ ବଡ ଶତ୍ରୁ । ୯ ବର୍ଷ ପରେ ସାମ୍ନାକୁ ଆସିଲା ଛୋଟା ରାଜନର ଭିଡିଓ

180

କନକ ବ୍ୟୁରୋ : ଦାଉଦ ଇବ୍ରାହିମର ସବୁଠାରୁ ବଡ ଶତ୍ରୁ ତଥା ଦିଲ୍ଲୀ ତିହାର ଜେଲରେ ବନ୍ଦୀଥିବା ଅଣ୍ଡରୱାଲର୍ଡ ଡନ୍ ଛୋଟା ରାଜନଙ୍କ ତାଜା ଫଟୋ ଏବେ ସାମ୍ନାକୁ ଆସିଛି । ୨୦୧୫ ମସିହାରେ ଛୋଟା ରାଜନକୁ ଭାରତୀୟ ଗୁଇନ୍ଦା ସିଂସ୍ଥା ବିଦେଶରୁ ଗିରଫ କରି ଭାରତ ଆଣିଥିଲା । ୨୦୧୫ ପରେ ପ୍ରଥମ ଥର ପାଇଁ ଛୋଟା ରାଜନଙ୍କ ତାଜା ଫଟୋ ସାମ୍ନାକୁ ଆସିଛି । ଏବେ ଯେଉଁ ଫଟୋ ସାମ୍ନାକୁ ଆସିଛି ତାହା ୨୦୨୦ର ଫଟୋ । ହେଲେ କିଛି ବର୍ଷ ତଳେ ଗଣମାଧ୍ୟମରେ ଖବର ଆସିଥିଲା କି କରୋନାରେ ଛୋଟା ରାଜନଙ୍କର ମୃତ୍ୟୁ ହୋଇଯାଇଛି । ଏବେ ଛୋଟା ରାଜନର ଯେଉଁ ଦୁଇଟି ଫଟୋ ଆସିଛି, ଗୋଟିଏରେ ସେ ଦିଲ୍ଲୀ ଏମ୍ସରେ ଥିବାର ଫଟୋ ଓ ଅନ୍ୟ ଟି ଆମ୍ବୁଲାନ୍ସ ସହ ରାଜନର ଫଟୋ । ଏବେ ଛୋଟା ରାଜନ ଦିଲ୍ଲୀର ତିହାର ଜେଲରେ ରହିଛି । ତା’ର ସେଲକୁ କଡା ସୁରକ୍ଷା ଭିତରେ ରଖାଯାଇଛି । ଯେଉଁଠି ଛୋଟା ରାଜନକୁ ରଖାଯାଇଛି ତା ପାଖାପାଖି ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଗୋଟିଏ ସମୟରେ ଛୋଟା ରାଜନ ଓ ଦାଉଦ୍ ଇବ୍ରାହିମ ଅତି ନିକଟତର ଥିଲେ । ସେମାନେ ମିଳିତ ଭାବେ ୨୦ ବର୍ଷରୁ ଅଧିକ ଧରି ପୋଲିସ ଆଖିଆଗରେ ଅପରାଧ କରି ମୁମ୍ବାଇକୁ ଭୟଭିତ କରି ରଖିଥିଲେ । ୧୯୯୩ ବିସ୍ଫୋରଣ ପରେ ଛୋଟା ରାଜନ ଦାଉଦ ଠାରୁ ଅଲଗା ହୋଇଯାଇଥିଲା । ଏହି ଦୁଇଜଣଙ୍କ ଶତ୍ରୁତା କାରଣରୁ ମୁମ୍ବାଇ, ଦୁବାଇ, ନେପାଳ ଭଳି ଅନେକ ସ୍ଥାନରେ ଅନେକ ହତ୍ୟା ହୋଇଥିଲା । ଦାଉଦର ନିକଟତର କୁହାଯାଉଥିବା ଛୋଟା ସକିଲ ଏବେ ବି ଛୋଟା ରାଜନକୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ଜଣାପଡିଛି ।