ରାଜ୍ୟର ବିଭିନ୍ନ ସ୍ଥାନରେ ଛେନାପୋଡ଼ ଦିବସ ପାଳନ । ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନରେ ପାଳନ ହେଲା ଉତ୍ସବ ।

130

କନକ ବ୍ୟୁରୋ : ଓଡିଶାର ନିଆରା ମିଠା ଛେନାପୋଡ । ଓଡିଶାର ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବାରୁ ଏହାର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଯାଇଛି ଉଦ୍ୟମ । ଛେନାପୋଡର ସ୍ରଷ୍ଠା କୁହାଯାଉଥିବା ନୟାଗଡର ସୁଦର୍ଶନ ସାହୁଙ୍କ ଜନ୍ମଦିନରେ ଆଜି ବିଭିନ୍ନ ସ୍ଥାନରେ ପାଳନ ହୋଇଛି ଛେନାପୋଡ ଦିବସ ।

ଛେନାପୋଡ… । ଛେନାରେ ପ୍ରସ୍ତୁତ ହୋଇଥିବା ଏକ ନିଆରା ମିଠା । ଦେଖିବାକୁ ଯେତିକି ସୁନ୍ଦର ଦିଶେ ଖାଇବାକୁ ସେତିକି ସ୍ୱାଦିଷ୍ଟ । ରସଗୋଲା ଭଳି ଛେନାପୋଡ ଓଡିଶାରେ ପ୍ରସ୍ତୁତ ହେଉଥିବା ଏକ ସ୍ୱତନ୍ତ୍ର ମିଠା । ରସଗୋଲା ପରେ ଏହି ଛେନାପୋଡକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ନୟାଗଡର ସୁଦର୍ଶନ ସାହୁଙ୍କ ଜନ୍ମ ଦିନ ଏପ୍ରିଲ ୧୧ ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି । ନୟାଗଡର ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲପିଂ ହ୍ୟାଣ୍ଡ ପକ୍ଷରୁ ନୟାଗଡ ସହରରେ ଛେନାପୋଡ ଦିବସ ପାଳନ କରାଯାଇଛି ।

କେବଳ ନୟାଗଡ ନୁହେଁ ରାଜ୍ୟର କୋଣ ଅନୁକୋଣରେ ବିକ୍ରି ହୁଏ ଛେନାପୋଡ । ଭୁବନେଶ୍ୱର ନିକଟସ୍ଥ ପାହାଳରେ ପ୍ରାୟ ସମସ୍ତ ମିଠା ଦୋକାନରେ ମିଳେ ବିଭିନ୍ନ ସାଇଜର ଛେନାପୋଡ । ସନ୍ଧ୍ୟା ହେଲେ ଛେନାପୋଡ ପ୍ରସ୍ତୁତିରେ ଲାଗିପଡନ୍ତି ମିଠା ଦୋକାନୀ । ଏଠୁ ରାଜ୍ୟର କୋଣଅନୁକୋଣକୁ ଯାଏ ଛେନାପୋଡ ।

କନକ ନ୍ୟୁଜ ପରିବାରରେ ବି ପାଳନ ହୋଇଛିି ଛେନାପୋଡ ଦିବସ । ଦୈନିକ ଖବର କାଗଜ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଛେନାପୋଡ ଦିବସରେ ସାମିଲ ହୋଇ ଏହି ଦିବସ ସମ୍ପର୍କରେ ଆଲୋଚନା କରିଛନ୍ତି । ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ଭର୍ଚୁଆଲ ମୋଡରେ ପାଳନ କରିଛନ୍ତି ଛେନାପୋଡ ଦିବସ । ସୋସିଆଲ ମିଡିଆରେ ବି ଟ୍ରେଣ୍ଡିଂ କରୁଛି ଛେନାପୋଡ ଦିବସ ।