ସୀମାର ସାଂଘାତିର ଚିତ୍ର : ୨ ଟି ରାଜ୍ୟ ମଧ୍ୟରେ ରହିଛି ଗୋଟିଏ ଗାଁ; ଛତିଶଗଡ ଗାଁରେ ମିଳୁଛି ସବୁ ସୁବିଧା, ଓଡିଶା ଗାଁରେ ନାହିଁ ବିକାଶର ଚିହ୍ନବର୍ଣ୍ଣ

119

କନକ ବ୍ୟୁରୋ : ଆଜି ଉତ୍କଳ ଦିବସ । ଅଖଣ୍ଡ ଓଡିଶାର କଥା କହି ଆଜିର ସ୍ୱତନ୍ତ୍ର ଦିବସକୁ ପାଳନ କରାଯାଉଛି । ହେଲେ ଅଖଣ୍ଡ ଓଡିଶାର ଗାଁ ଭିତରେ ପଶି ରାଜ୍ କରୁଛନ୍ତି ପଡୋଶୀ ରାଜ୍ୟ । କୋରାପୁଟର କୋଟିଆ, ଗଂଜାମର ପାତ୍ରପୁର, ଗଜପତି ଜିଲ୍ଲାର ରାୟଗଡ ବ୍ଲକ, ମାଲକାନଗିରି ଜିଲ୍ଲାର ଜୁମଡାଙ୍ଗ ସୀମାରେ ଆନ୍ଧ୍ରପ୍ରଦେଶ ଦବଦବା ଜାରି କରୁଥିବା ଖବର ଜାଣିଥିଲେ । କିଭଳି ଓଡିଶା ଗାଁରେ ପଶି ପଡିଶା ରାଜ୍ୟ ପଂଚାୟତ ନିର୍ବାଚନ କରିଥିଲା ହେଲେ ରାଜ୍ୟ ସରକାର ଅଟକାଇ ପାରିଲେ ନାହିଁ ।

ଏହି ଅଂଚଳର ପ୍ରକୃତ ସତ କଥା ଜାଣିଲେ ଆପଣଙ୍କ ମନରେ ବି ଅନେକ ପ୍ରଶ୍ନ ଉଠିବ । ମାଲକାନଗିରି ସଦର ମହୁକମା ଠାରୁ ମାତ୍ର ୨୦ କିଲୋମିଟର ଦୂର, ଛତିଶଗଡ ସୀମାରେ ଥିବା ବୁରଦୀ ଗାଁର କିଛି ଅଂଶକୁ ନିଜର ବୋଲି ଦାବି କରି ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲିଛି ଛତିଶଗଡ ପ୍ରଶାସନ । ସ୍କୁଲ, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକେନ୍ଦ୍ର ସବୁଠି ହିନ୍ଦିରେ ଲେଖାଯାଇଛି । ଅଂଚଳବାସୀଙ୍କୁ ସବୁ ପ୍ରକାର ସେବା ଓ ସୁବିଧା ଯୋଗାଇ ଦେଉଛି ଛତିଶଗଡ । ଲୋକଙ୍କୁ ପିଇବା ପାଣି ମିଳୁଛି, ସ୍କୁଲରେ ପିଲାଙ୍କ ଉପସ୍ଥାନ ବି ଅଛି । ସ୍ୱାସ୍ଥ୍ୟକେନ୍ଦ୍ର ଲୋକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ରାସ୍ତାଘାଟରେ ସବୁଠି ଭିତିଭୂମି ନିର୍ମାଣ କାମ ଜାରି ରହିଛି । ଓଡିଶା ସୀମା ଡେଇଁ ଛତିଶଗଡର ଏହି ଅଂଚଳରେ ପହଂଚିଲେ ମୋବାଇଲ୍ ନେଟୱାକ୍ ବି ଭଲରେ କାମ କରୁଛି । ସବୁ ପ୍ରକାର ଡିଜିଟାଲ କାମ ସୁରୁଖୁରରେ ହୋଇପାରୁଛି ।

ଆଉ ଗୋଟେ ସୀମା ଏପଟର ଦୃଶ୍ୟ । ସେଠି ହିନ୍ଦିରେ ଲେଖାଥିଲା ବୁରଦୀ । ଏପଟେ ଓଡିଆରେ ଲେଖାଯାଇଛି ସେହି ସମାନ ନାଁ । ଅର୍ଥାତ୍ ଏହି ଅଂଚଳ ଓଡିଶାର । ଏଠାରେ ଓଡିଶା ସରକାରଙ୍କ ପକ୍ଷରୁ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ବି ଅଛି । କିନ୍ତୁ ବାହାରୁ ତାଲା ପଡିଛି । କହିବାକୁ ଗଲେ ନାହିଁ ନାହିଁର ଗାଁ । ନାଁ ଏଠି ଶିକ୍ଷା ଅଛି ନାଁ ସ୍ୱାସ୍ଥ୍ୟ ଅଛି । ବିକାଶର ଦୂର ଦୂର ପର୍ଯ୍ୟନ୍ତ ଚିହ୍ନ ବର୍ଣ୍ଣ ନାହିଁ । ପିଇବା ପାଣି ପାଇଁ ଗରା ମୁଣ୍ଡାଇ ଲୋକଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି । ଆଉ ରହିଛି ମୋବାଇଲ ନେଟୱାର୍କ କଥା । ମୋବାଇଲରେ କଥା ହେବାକୁ ହେଲେ ଛତିଶଗଡ ସୀମା ଅତିକ୍ରମ କରିବାକୁ ପଡୁଛି ।