କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ଗଣତି ଅଧା ହୋଇଥିଲେ ବି ଏ ପର୍ଯ୍ୟନ୍ତ କଂଗ୍ରେସ ଠାରୁ ବିଜେପି ବହୁ ଆଗରେ ରହିଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ ଛତିଶଗଡ ବିଧାନସଭାର ମୋଟ ୯୦ ଆସନରୁ କଂଗ୍ରେସ ୩୪ଟିରେ ଆଗୁଆ ରହିଥିବା ବେଳେ ବିଜେପି ୫୬ଟି ଆସନରେ ଆଗୁଆ ରହିଛି । କଂଗ୍ରେସର ଏହି ନୈରାଶ୍ୟଜନକ ସ୍ଥିତି ପଛରେ କଣ ରହିଛି କାରଣ ?

Advertisment

ଅନ୍ତଃକନ୍ଦଳ : ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବା ଠାରୁ ଆରମ୍ଭ କରି ପୁଣି ସରକାର ଭାଙ୍ଗିବା ପର୍ଯ୍ୟନ୍ତ ଦଳ ଭିତରେ ଅନ୍ତଃକନ୍ଦଳ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ଉପ ମୁଖ୍ୟମନ୍ତ୍ରୀ ଟିଏସ ସିଂଦେଓଙ୍କ ମଧ୍ୟରେ କନ୍ଦଳ ଶେଷ ପର୍ଯ୍ୟନ୍ତ ଲାଗି ରହିଥିଲା । ଭୂପେଶ ବଘେଲ ୨.୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଥିଲେ ଟିଏସ ସିଂ ଦେଓ । ଏହାକୁ ନେଇ ବିଜେପି ବେଶ୍ ସମାଲୋଚନା କରିଥିଲା । କେବଳ ସେତିକି ନୁହେଁ ପ୍ରଦେଶ ପ୍ରଭାରୀ କୁମାରୀ ଶୈଳଜା ଓ ପ୍ରଦୋ ଅଧ୍ୟକ୍ଷ ମରକାମଙ୍କ ମଧ୍ୟରେ ମଧ୍ୟ ତୀବ୍ର ବିବାଦ ଦେଖିବାକୁ ମିଳିଥିଲା । ବିଶ୍ଳେଷକଙ୍କ ମତରେ ଏହାର ଖରାପ ପ୍ରଭାବ ଭୋଟରଙ୍କ ଉପରେ ପଡିଲା ।

ପ୍ରତିଶ୍ରୁତି : ଭୂପେଶ ବଘେଲ ପୂର୍ବ ବିଧାନସଭା ନିର୍ବାଚନରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି, କଂଗ୍ରେସ ସରକାର ଗଠନ କଲେ ରାଜ୍ୟରେ ମଦ ନିଷେଧ ହେବ । ଲୋକେ ଭୋଟ ଦେଲେ, କଂଗ୍ରେସ ସରକାର ଗଠନ କଲା ହେଲେ ପ୍ରତିଶ୍ରୁତି ପାଳନ କଲାନାହିଁ । ଏହାକୁ ନେଇ ବିଜେପି ନେତାମାନେ ଭୂପେଶ ବଘେଲଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ ବି ବଘେଲ ତାହାକୁ କର୍ଣ୍ଣପାତ କରିନଥିଲେ । ଏହି କାରଣରୁ ଚଳିତ ନିର୍ବାଚନରେ ଲୋକମାନେ ବଘେଲଙ୍କ ପ୍ରତିଶ୍ରୁତିକୁ ବିଶ୍ୱାସ କରିପାରିନାହାଁନ୍ତି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି ।

ଦୁର୍ନୀତି ଅଭିଯୋଗ : ନିର୍ବାଚନ ପ୍ରଚାର ବେଳେ ବିଜେପି ନେତାମାନେ ବାରମ୍ବାର ଭୂପେଶ ବଘେଲ ଓ କଂଗ୍ରେସ ସରକାର ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ । ବିଜେପିର ରାଜ୍ୟ ଓ କେନ୍ଦ୍ର ନେତାମାନେ ବଘେଲ ସରକାରଙ୍କ ଉପରେ କୋଇଲା ଦୁର୍ନୀତି, ମହାଦେବ ଆପ୍ ସ୍କାମରେ ସାମିଲ ଥିବା ଅଭିଯୋଗ ଆଣିଥିଲେ । ଏହା ଫଳରେ ଜନତାଙ୍କର କଂଗ୍ରେସ ଉପରେ ଭରସା ତୁଟିଯାଇଥିବା ଅନୁମାନ କରାଯାଉଛି ।

ମନାନ୍ତର ଓ ଲବ୍ ଜିହାଦ : ରାଜ୍ୟରେ ମନାନ୍ତର ଓ ଲଭ୍ ଜିହାଦ ମାମଲା ସାମ୍ନାକୁ ଆସିଥିଲା । ବେମେତରା ଜିଲ୍ଲା ବିରନପୁର ଠାରେ ଘଟିଥିବା ସାଂପ୍ରଦାୟିକ ହିଂସା ମାମଲାରେ କଂଗ୍ରେସ ବ୍ୟାକଫୁଟକୁ ଆସିଯାଇଥିଲା । ବିଜେପି ନେତାମାନେ ଏହାକୁ ଏକ ବଡ ପ୍ରସଙ୍ଗ କରି କଂଗ୍ରେସ ବିରୋଧରେ ଜୋରଦାର ପ୍ରଚାର କରିଥିଲେ । ଏହି ସାଂପ୍ରଦାୟିକ ହିଂସା ମୃତ୍ୟୁବରଣ କରିଥିବା ଭୁନେଶ୍ୱର ସାହୁଙ୍କ ପିତା ଇଶ୍ୱର ସାହୁଙ୍କୁ ବିଜେପି ପ୍ରାର୍ଥୀ କରିଥିଲା ।