କନକ ବ୍ୟୁରୋ : ମାତ୍ର କେଇଟା ଟଙ୍କା ପାଇଁ ମଣିଷ ମଣିଷକୁ ହତ୍ୟା କରୁଛି । ଟଙ୍କା ପାଇଁ ଭାଇ ଠାରୁ ଭାଇ ଅଲଗା ହୋଇଯାଉଛି । ହେଲେ ଏବେ ଛତିଶଗଡରୁ ଆସିଥିବା ଏକ ଖବର ଆପଣଙ୍କ ମନରେ ବି ମଣିଷ ପଣିଆ ଜାଗ୍ରତ କରିଦେବ । ଛତିଶଗଡର ରାୟପୁର ଜିଲ୍ଲାରେ ଟ୍ରାନ୍ସପୋର୍ଟ ବିଭାଗରେ କନେଷ୍ଟବଳ ଥିବା ନିଳାମ୍ବର ସିହ୍ନାଙ୍କୁ ରାସ୍ତାରେ ପଡିଥିବା ଏକ ବ୍ୟାଗ ମିଳିଥିଲା । ହେଲେ ନିଳାମ୍ବର ବ୍ୟାଗ ଖୋଲି ଦେଖିବା ପରେ ତା ମଧ୍ୟରେ ପୁରା ୪୫ ଲକ୍ଷ ଟଙ୍କା ଥିଲା । ଏହାପରେ ନିଳାମ୍ବର ମାନବିକତାର ପରିଚୟ ଦେବାକୁ ବ୍ୟାଗକୁ ଧରି ଥାନାରେ ପହଂଚିଥିଲେ । ଥାନାରେ ଏହି ଟଙ୍କା ଭର୍ତ୍ତି ବ୍ୟାଗ ଜମା କରି ଏବେ ଚର୍ଚ୍ଚାରେ କନେଷ୍ଟବଳ ନିଳାମ୍ବର । ପୋଲିସ ପାଖରେ ଏହି ଟଙ୍କା ବ୍ୟାଗ ପହଂଚିବା ପରେ ପୋଲିସ ଅଧିକାରୀ ନିଳାମ୍ବରଙ୍କୁ ସମ୍ମାନୀତ କରାଯିବ ବୋଲି କହିଛନ୍ତି  । ସେପଟେ ଏହି ବ୍ୟାଗ କାହାର ସେନେଇ ପୋଲିସ ତନାଘନା କରିବା ସହ ଆୟକର ବିଭାଗକୁ ସୂଚନା ଦେଇଛି ।

Advertisment

ଗୋଟିଏ ପଟେ ନିଳାମ୍ବର ୪୫ ଲକ୍ଷ ଟଙ୍କାର ବ୍ୟାଗ ପାଇ ଥାନାରେ ଜିମା ଦେଇଥିବା ବେଳେ ନିଳାମ୍ବରଙ୍କ ଆଉ ଏକ କଥା ସାମ୍ନାକୁ ଆସିଛି । ନିଳାମ୍ବର କହିଛନ୍ତି କି ସେ ରାସ୍ତାରୁ ବ୍ୟାଗ ପାଇବା ପରେ ଏଥିରେ କଣ ଅଛି ସେନେଇ ସେ ରାସ୍ତାକଡରେ ବ୍ୟାଗଟିକୁ ଖୋଲି ଟଙ୍କା ଗଣୁଥିଲେ । ବାସ୍ ଏହି ସମୟରେ ଜଣେ ଅଟୋଚାଳକ ତାଙ୍କ ନିକଟକୁ ଆସି ଏକ ୫୦୦ ଟଙ୍କିଆ ନୋଟର ବଣ୍ଡଲ ଧରି ପଳାଇଯାଇଥିବା କଥା କହିଛନ୍ତି ନିଳାମ୍ବର । ପୋଲିସ ପାଖରେ ନିଳାମ୍ବର ଏଭଳି ସୂଚନା ଦେବା ପରେ ପୋଲିସ ରାତିସାରା ଛାନଭିନ୍ କରି ସଂପୃକ୍ତ ଅଟୋଚାଳକଙ୍କୁ ଧରିବା ସହ ସେ ନେଇଯାଇଥିବା ୫ ଲକ୍ଷ ଟଙ୍କା ଜବତ କରିଛି ।