ଛତିଶଗଡ଼ ପୁଲିସର ଦାଦାଗିରି । ଓଡ଼ିଶା ସୀମାରେ ପଶି ଚାଷୀଙ୍କ ଉପରେ ଜୁଲମ୍। ଓଡ଼ିଶା ଧାନ ଛତିଶଗଡ଼ରେ ବିକ୍ରି କରୁଥିବା ସନ୍ଦେହ କରି ଧାନ ସହ ଉଠାଇ ନେଲା ଚାଷୀଙ୍କୁ

548

କନକ ବ୍ୟୁରୋ: ଛତିଶଗଡ ପୁଲିସର ଦାଦାଗିରି । ଓଡିଶା ସୀମାରେ ପ୍ରବେଶ କରି ଚାଷୀଙ୍କ ଉପରେ ଜୁଲମ । ଓଡିଶା ଧାନକୁ ଛତିଶଗଡରେ ବିକ୍ରି କରୁଥିବା ସନ୍ଦେହ କରି ଚାଷୀଙ୍କୁ ଉଠାଇ ନେଲା ପୁଲିସ । ଝାରାସୁଗୁଡା ଜିଲ୍ଲା କନକେତୋରା ସୀମାରେ ଛତିଶଗଡ ରାୟଗଡ ପୁଲିସ ପଶିଆସି ଭ୍ୟାନ ସହ ଧାନ ଜବତ କରିଛି । ଏହାକୁ ସ୍ଥାନୀୟ ଚାଷୀକୂଳ ପ୍ରତିକ୍ରିୟାଶୀଳ ହୋଇଛି । ଏ ନେଇ ରେଙ୍ଗାଳି ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଛତିଶଗଡ ଗାଁର ଭାଗଚାଷୀ ମନୋଜ ମେହେରଙ୍କ ନାଁରେ ମାମଲା ରୁଜୁ କରି ୩୮ ବସ୍ତା ଧାନ ଜବତ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଖବର ଅନୁସାରେ, ମନୋଜ ଶନିବାରଦିନ ବିଲରୁ ଧାନବସ୍ତା ଆଣି ଗାଡି ଉପରେ ରଖିଥିଲେ । ଏହି ସମୟରେ ଛତିଶଗଡ ରାୟଗଡ ପୁଲିସ ପଂହଚି ଧାନ ବୋଝେଇ ଗାଡି ସହ ମନୋଜଙ୍କୁ ଥାନାକୁ ନେଇଯାଇଥିଲେ । ପରେ ଧାନ ଓ ଗାଡିକୁ ରଖି ମନୋଜଙ୍କୁ ଘରକୁ ଯିବାକୁ କହିଥିଲେ । ପରେ ଗାଁରେ ଏକ ବୈଠକ ବସି ଥାନାରେ ଏତଲା ଦିଆଯାଇଛି । ଏଭଳି ଦାଦାଗିରି ଜାରି ରହିଲେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି । ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୩୫ ଟଙ୍କା ରହିଥିବାବେଳେ ଛତିଶଗଡରେ ଏହା ୨୫ ଶହ ଟଙ୍କା ଅଛି । ଫଳରେ ଅସାଧୁ ବ୍ୟବସାୟୀ ଓ ଦଲାଲ ଓଡିଶାରୁ ସ୍ୱଳ୍ପ ମୂଲ୍ୟରେ ଧାନ କିଣିବାକୁ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଛତିଶଗଡ ପୋଲିସ ଅସଲି ଦଲାଲକୁ ନଧରି ଚାଷୀଙ୍କ ଉପରେ ଜୁଲମ କରୁଥିବା ଅଭିଯୋଗ ହୋଇଛି ।