କନକ ବ୍ୟୁରୋ: ଅଣମୌସୁମୀ ଋତୁରେ ବ୍ୟାରେଜରେ ପାଣି ଅଟକାଇଥିବା ଛତିଶଗଡ଼, ଟ୍ରିବ୍ୟୁନାଲ୍ ଟିମ୍ ଗ୍ରସ୍ତ ପୂର୍ବରୁ ହଡ଼ବଡ଼େଇ ଯାଇଛି । ଦୁଇଟି ପର୍ଯ୍ୟାୟରେ ଖୋଲି ଦେଇଛି କଲମା ବ୍ୟାରେଜର ୨୦ଟି ଗେଟ୍ । ମେ’ ୧୦ ତାରିଖରେ ଟ୍ରିବ୍ୟୁନାଲ୍ ଟିମ୍ ଓଡ଼ିଶା ଆସିବାରେ ଅଛି, କାଳେ ସତ ଧରାପଡ଼ିଯିବ, ଗେଟ୍ ଖୋଲିଦେଇଛି ଛତିଶଗଡ଼ । ଫଳରେ ତଳମୁଣ୍ଡରେ ଜଳ ପ୍ରବେଶ ବଢ଼ିଥିବା ଦେଖିବାକୁ ମିଳିଛି । ଏମିତିକି ହୀରାକୁଦ ନଦୀବନ୍ଧକୁ ମଧ୍ୟ ଜଳପ୍ରବେଶର ପରିମାଣ ମଧ୍ୟ ବଢ଼ିଛି ।

Advertisment

ନଜର ପକାନ୍ତୁ, ଗତ ୫ ଦିନ ଭିତରେ କେମିତି ଜଳର ପରିମାଣ ବଢ଼ି ବଢ଼ି ଚାଲିଛି । ଗତ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କିପରି ହୀରାକୁଦରେ ଇନ୍ଫ୍ଲୋ ବଢ଼ି ଚାଲିଛି ତାହା ସ୍ପଷ୍ଟ ଭାବେ ଜଣାପଡିଛି । ୨୨ ତାରିଖରେ ମାତ୍ର ୧୦୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା । ତାହା ୨୩ ତାରିଖକୁ ୧୧୩୮ କ୍ୟୁସେକ୍ ହୋଇଯାଇଥିଲା । ୨୪ ତାରିଖରେ ୧୨୯୦ କ୍ୟୁସେକ୍, ୨୫ ତାରିଖରେ ୧୪୭୨ କ୍ୟୁସେକ୍ ଏବଂ ୨୬ ତାରିଖ ସକାଳ ୮ଟା ସୁଦ୍ଧା ତାହା ବୃଦ୍ଧି ପାଇ ୧୬୬୧ କ୍ୟୁସେକ୍ ହୋଇଯାଇଛି । ଅର୍ଥାତ ମାତ୍ର ୫ ଦିନ ଭିତରେ ପୂର୍ବ ଅପେକ୍ଷା ୬୦ ପ୍ରତିଶତ ଅଧିକ ପାଣି ଛାଡିଛି ଛତିଶଗଡ଼ ।

୫ ଦିନର ହିସାବ
୨୨.୦୪.୨୩ (ଶନିବାର)
ହୀରାକୁଦ ଜଳସ୍ତର ୬୧୨.୦୦ ଫୁଟ୍
ଜଳ ପ୍ରବେଶ ୧,୦୫୫ କ୍ୟୁସେକ୍

୨୩.୦୪.୨୩ (ରବିବାର)
ହୀରାକୁଦ ଜଳସ୍ତର ୬୧୧.୯୩
ଜଳ ପ୍ରବେଶ ୧,୧୩୮ କ୍ୟୁସେକ୍

୨୪.୦୪.୨୩ (ସୋମବାର)
ହୀରାକୁଦ ଜଳସ୍ତର ୬୧୧.୮୯ ଫୁଟ
ଜଳ ପ୍ରବେଶ ୧,୨୯୦ କ୍ୟୁସେକ୍

୨୫.୦୪.୨୩ (ମଙ୍ଗଳବାର)
ହୀରାକୁଦ ଜଳସ୍ତର ୬୧୧.୮୩ ଫୁଟ୍
ଜଳ ପ୍ରବେଶ ୧,୪୭୨ କ୍ୟୁସେକ୍

୨୬.୦୪.୨୩ (ବୁଧବାର, ସକାଳ ୮ଟା ସୁଦ୍ଧା)
ହୀରାକୁଦ ଜଳସ୍ତର ୬୧୧.୭୫ ଫୁଟ
ଜଳ ପ୍ରବେଶ ୧,୬୬୧ କ୍ୟୁସେକ୍

ଛତିଶଗଡ଼ ବ୍ୟାରେଜରେ ପାଣି ଉଛୁଳିଥିବା ଦେଖି କାହିଁକି ପାଣି ଛଡ଼ା ଯାଉନାହିଁ ବୋଲି ପ୍ରଶ୍ନ କରିଥିଲା ଟ୍ରିବ୍ୟୁନାଲ୍ । ଏପଟେ ମେ’ ଦ୍ୱିତୀୟ ସପ୍ତାହରେ ଓଡ଼ିଶାର ଡେଲ୍ଟା ଅଞ୍ଚଳ ବୁଲିଦେଖିବେ ମଦାନଦୀ ଟ୍ରିବ୍ୟୁନାଲ୍ ସଦସ୍ୟ । କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଛତିଶଗଡ଼ ସରକାର ୨୦ଟି ଗେଟ୍ ଖୋଲି ଦେଇଥିବା ସୂଚନା ମିଳିଛି । ଫଳରେ ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି ।

ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ କରିଛି ଟ୍ରିବ୍ୟୁନାଲ୍ । ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶା ପଟ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା ।