କରୋନା କାଳରେ ଫି ଆଦାୟ କରିପାରିବେନି ବିଦ୍ୟାଳୟ କର୍ତ୍ତୃପକ୍ଷ । ସ୍କୁଲ ଫିସ୍ ଜମା ନେଇ ଅଭିଭାବକଙ୍କୁ ପଠାଇପାରିବେନି କୌଣସି ପ୍ରକାରର ନୋଟିସ୍ । ମହାମାରୀ ଆକ୍ଟ ଅନୁସାରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

2,750

କନକ ବ୍ୟୁରୋ: ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ କଡା ନିର୍ଦ୍ଦେଶ । କରୋନା ମହାମାରୀ ଆଉ ମାଗିପାରିବେନି ଫିସ୍ । ଏପରିକି ସ୍କୁଲ ଫି ଜମା କରିବା ପାଇଁ ଯଦି କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ଅଭିଭାବକମାନଙ୍କ ଉପରେ କୌଣସି ପ୍ରକାରର ଚାପ ପକାଯାଏ ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ  ।

ତାଲାବନ୍ଦ କଟକଣା ସମୟରେ ଫି ଆଳରେ ଅଭିଭାବକଙ୍କୁ ହଇରାଣ କରୁଥିବା ଘରୋଇ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ଛତିଶଗଡ ସରକାର ।  ଏନେଇ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ଲକଡାଉନ ଅବଧିରେ ଫିସ୍ ନେଉଥିବା ଘରୋଇ ସ୍କୁଲମାନଙ୍କ ଉପରେ ଅଙ୍କୁଶ ଲଗାଯାଇଛି । ଏହାସହ ଏଥିପାଇଁ ଯଦି କୌଣସି ଅଭିଭାବକଙ୍କ ଉପରେ କୌଣସି ପ୍ରକାରର ଚାପ ପକାଯାଏ ତେବେ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏସଂକ୍ରାନ୍ତରେ ଅଭିଭାବକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଛତିଶଗଡ ସରକାର ।

ଛତିଶଗଡ ଶିକ୍ଷାଧିକାରୀଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶାନୁସାରେ ଲକଡାଉନ  କଟକଣା କାଳରେ କୌଣସି ବି ଅଭିଭାବକଙ୍କୁ ଲିଖିତ ରୂପରେ କିମ୍ବା ମୋବାଇଲ ଜରିଆରେ ସ୍କୁଲ ଫିସ୍ ଆଦାୟ ପାଇଁ ମେସେଜ ପଠାଇପାରିବେ କର୍ତ୍ତୃପକ୍ଷ । ଏଥି ସହିତ ହିଁ ଘରୋଇ ସ୍କୁଲମାନଙ୍କରେ ଅଭିଭାବକଙ୍କୁ ନେଇ କୌଣସି ପ୍ରକାରର ସାମୂହିକ ବୈଠକ ମଧ୍ୟ କରାଯିବ ନାହିଁ । ସେହିଭଳି କରୋନା ମହାମାରୀକୁ ନଜରରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟମାନଙ୍କରେ ଚାଲିଥିବା ଅନଲାଇନ କ୍ଲାସ ନିମନ୍ତେ ମଧ୍ୟ ଫିସ୍ ଆଦାୟ କରିପାରିବେ ନାହିଁ ସ୍କୁଲ କର୍ତ୍ତୃପକ୍ଷ ।