କନକ ବ୍ୟୁରୋ: ଅନ୍ଧାରରେ ପୂଣ୍ୟାତ୍ମାଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ମହାମହିମ ରାଜ୍ୟପାଳ । ଘନ ଅନ୍ଧାର ଭିତରେ ଦୀପ ଓ ମହମବତୀ ଜାଳି ପଂଚସଖାଙ୍କୁ ଫୁଲମାଳ ଦେଇ ଶ୍ରଦ୍ଧାଂଜଳି ଜଣାଇଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଦ୍ୟୁତ୍ ବିତରଣକାରୀ ସଂସ୍ଥାର ମନମାନି ଯୋଗୁଁ ଗତକାଲି ରାତିରେ ଏଭଳି ଘଟଣା ଘଟିଯାଇଛି । ପାୱାରକଟ୍ ଯୋଗୁଁ ଅନ୍ଧାର ଭିତରେ ସତ୍ୟବାଦୀରେ ପଂଚସଖାଙ୍କୁ ଶ୍ରାଦ୍ଧା ସୁମନ ଅର୍ପଣ କରିଛନ୍ତି ଛତିଶଗଡ ରାଜ୍ୟପାଳ । ସୂଚନା ଅନୁସାରେ ଗତକାଲି ପୁରୀ ଗସ୍ତରେ ଯାଇଥିଲେ ଛାତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ରାଜ୍ୟପାଳ ଫେରିବା ବାଟରେ ସାକ୍ଷୀଗୋପାଳ ବସଷ୍ଟାଂଡ ଓଭଲ ବ୍ରିଜ ପାଖରେ ପଂଚସଖାଙ୍କ ପୀଠକୁ ଯିବାକୁ ମନସ୍ଥ କରିଥିଲେ । ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ସତ୍ୟବାଦୀ ଥାନା ଅଧିକାରୀ, ଅତିରିକ୍ତ ତହସିଲଦାର ଓ ବ୍ଲକ ଅଧ୍ୟକ୍ଷ ସେଠାରେ ଆଗୁଆ ପହଂଚିଥିଲେ । ହେଲେ ସଂଧ୍ୟା ବେଳେ ସେଠାରେ ବିଦ୍ୟୁତ ନଥିଲା । ଛତିଶଗଡ ରାଜ୍ୟପାଳ ଆସୁଛନ୍ତି ବିଦ୍ୟୁତ୍ ସରବରାହ ସ୍ୱଭାବିକ କରିବା ପାଇଁ ସାକ୍ଷୀଗୋପାଳ ଟିପିସିଓଡିଏଲ କର୍ତୃପକ୍ଷଙ୍କୁ ଜଣାଇଛନ୍ତି ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ । ହେଲେ କେହି କର୍ଣ୍ଣପାତ କରିନଥିଲେ । ଶେଷରେ ମହମତୀ ଓ ଦୀପ ଜାଳି ଛାତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପଂଚସଖାଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ପୂଣ୍ୟାତ୍ମାଙ୍କ ଅମରଗାଥାକୁ ଗଣମାଧ୍ୟମ ଆଗରେ ବଖାଣିଥିଲେ ।

Advertisment