ଯୁବବର୍ଗଙ୍କୁ ଛତିଶଗଡ଼ ସରକାରଙ୍କ ବଡ଼ ଭେଟି। ବେକାରୀ ଯୁବକଙ୍କୁ ମିଳିବ ମାସିକ ଭତା।

1,254

କନକ ବ୍ୟୁରୋ: ବେରୋଜଗାରୀ ଯୁବବର୍ଗଙ୍କ ପାଇଁ ଛତିଶଗଡ଼ ସରକାରଙ୍କ ଉପ ଉପହାର । ବେକାରୀ ଯୁବକଙ୍କୁ ମାସିକ ଭତା ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ସୋମବାର ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୨୩-୨୪ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ଆଗତ କରିଛନ୍ତି । ଯାହା ଇତିହାସର ସବୁଠାରୁ ବଡ଼ ବଜେଟ୍ ବୋଲି କୁହାଯାଉଛି । ବଜେଟରେ ବିଭିନ୍ନ ବର୍ଗକୁ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ବଘେଲ ସରକାର ଅଙ୍ଗନୱାଡି କର୍ମୀ, ହୋମଗାର୍ଡଙ୍କ ଏବଂ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଅଙ୍ଗନୱାଡି କର୍ମୀଙ୍କ ଭତା ୬ହଜାର ୫୦୦ରୁ ୧୦ହଜାର ଟଙ୍କା ବୃଦ୍ଧି କରାଯାଇଛି ।

ସେହିପରି ଅଙ୍ଗନୱାଡି ସହକର୍ମୀଙ୍କ ଭତା ୩ହଜାର ୫୫୦ରୁ ୫ହଜାର ଟଙ୍କା କରାଯାଇଛି । ସ୍କୁଲରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଦେୟ ୨୫ଶହରୁ ୨୮ଶହ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କୃଷି ବିଭାଗ ପାଇଁ ୧୦ହଜାର ୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଚଳିତ ବର୍ଷ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଥିବାରୁ ବଘେଲ ସରକାରଙ୍କ ଏହା ନିର୍ବାଚନୀ ବଜେଟ୍ ବୋଲି ବିରୋଧୀ କହିଛନ୍ତି ।