କନକ ବ୍ୟୁରୋ : ବାହାଘର, ବ୍ରତଘର, ଜନ୍ମଦିନ ଯେକୌଣସି ସାମାଜିକ ଉତ୍ସବ ହେଉ, ନିମନ୍ତ୍ରିତ ଅତିଥିଙ୍କ ତରଫରୁ ଅନେକ ଉପହାର ମିଳିଥାଏ । ଆଉ କାର୍ଯ୍ୟ ସରିବା ପରେ ଏହି ଉପହାର ସବୁ ଖୋଲି କିଏ କଣ ଦେଇଛି, ତାକୁ ଦେଖିବାର ଆଗ୍ରହ ସମସ୍ତଙ୍କ ଭିତରେ ଥାଏ । ଜରି ଗୁଡାହୋଇଥିବା ସୁନ୍ଦର ଗିଫ୍ଟ ପ୍ୟାକେଟ୍ ଗୁଡିକ ଏତେ ଆକର୍ଷଣୀୟ ଥାଏ ଯେ, ତାକୁ ଖୋଲି, ତା ଭିତରେ କଣ ଅଛି ଜାଣିବାର ଆଗ୍ରହକୁ ଆମେ ରୋକିପାରି ନଥାଉ । କିନ୍ତୁ ମହାକାଳଫଳ ପରି ସୁନ୍ଦର ଗିଫ୍ଟ ପ୍ୟାକେଟ୍ ଭିତରେ ଲୁଚି ରହୁଛି ମୃତ୍ୟୁର ପରୱାନା ।

Advertisment

୨୦୧୮ ଫେବୃଆରୀରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଘଟିଥିବା ଏମିତି ଏକ ଘଟଣା ସମସ୍ତଙ୍କ ନିଦ ହଜାଇ ଦେଇଥିଲା । ପାର୍ସଲ ବୋମା ଫୁଟି ପ୍ରାଣ ହରାଇଥିଲେ, ନବ ବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ । ବିସ୍ଫୋରଣରେ ଭୁଷୁଡି ପଡିଥିଲା ଘର । ଅଭିଯୁକ୍ତ ପୁଂଜିଲାଲ ମେହେର ଏବେ ଜେଲରେ ।

ଠିକ୍ ୫ ବର୍ଷ ପରେ ଏମିତି ଏକ ଲୋମହର୍ଷଣକାରୀ ଘଟଣାର ପୁନରାବୃତି ହୋଇଛି ଛତିଶଗଡରେ । ପୁରୁଣା ପ୍ରେମିକ ଛଦ୍ମ ବେଶରେ ଆସି ଯୁବତୀଙ୍କ ବାହାଘରରେ ଦେଇଯାଇଥିଲା ଉପହାର ପ୍ୟାକେଟ୍ । ବାହାଘର ପରେ ଖୁସିରେ ଯୁବତୀଙ୍କ ସ୍ୱାମୀ ପ୍ୟାକେଟ୍ ଖୋଲି ଦେଖିଥିଲେ, ଏଥିରେ ଅଛି ଏକ ହୋମ୍ ଥିଏଟର ବା ମ୍ୟୁଜିକ୍ ସିଷ୍ଟମ୍ । ଖୁସିରେ ପ୍ଲଗ୍ ଲଗାଇ ଗୀତ ଶୁଣିବା ପାଇଁ ଯାଇଥିଲେ ନବ ବିବାହିତ । ହେଲେ ସ୍ୱିଚ୍ ଅନ୍ କରିବା ପରେ ଘଟିଥିଲା ପ୍ରଚଣ୍ଡ ବିସ୍ଫୋରଣ ।

ମ୍ୟୁଜିକ ସିଷ୍ଟମ୍ ଭିତରେ ଥିବା ଏହି ବୋମା ବିସ୍ଫୋରଣରେ ବର ଓ ତାଙ୍କ ବଡ ଭାଇ ପ୍ରାଣ ହରାଇଥିବାବେଳେ ଦେଢବର୍ଷର ଏକ ଛୋଟ ଛୁଆ ସମେତ ୭ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପ୍ରେମିକ ମାରକମକୁ ଉତ୍ତରପ୍ରଦେଶରୁ ଗିରଫ କରିଛି ପୋଲିସ । ପ୍ରତିଶୋଧ ଓ ହତ୍ୟା ପାଇଁ ଏମିତି ଉପାୟ ଏବେ ସମସ୍ତଙ୍କ ଭିତରେ ଭୟ ଓ ଶିହରଣ ସୃଷ୍ଟି କରୁଛି । ସାମାଜିକ ଉତ୍ସବରେ ମିଳୁଥିବା ପ୍ରତିଟି ପ୍ୟାକେଟକୁ ଲୋକ ଏବେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।