ଓଡ଼ିଶାରେ ଧାନ ବିକି ପାରିବନି ଛତିଶଗଡ଼ ଚାଷୀ । ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ । ସ୍କାର୍ଡ ଗଠନ କରି ଯାଂଚ କରିବାକୁ ନିର୍ଦ୍ଦେଶ 

237

କନକ ବ୍ୟୁରୋ : ବରଗଡ ଜିଲ୍ଲା ପଦ୍ମପୁରରେ ମଣ୍ଡି ଖୋଲିବା ପରେ ବି କେମିତି ଚାଷୀଙ୍କୁ ଟୋକନ ମିଳୁନାହିଁ ସେନେଇ ଗତକାଲି ଅଭିଯୋଗ ଆସିଥିଲା । ଏହାପରେ ଆଜି ଯୋଗାଣ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ପଞ୍ଜିକୃତ ଥିବା ସବୁ ଚାଷୀଙ୍କୁ ଟୋକନ ମିଳିବ । ସେମାନେ ମଣ୍ଡିରେ ଧାନ ବିକ୍ରିକରିପାରିବେ । ଏସବୁ ଭିତରେ ଓଡିଶାର ଚାଷୀ ଯେମିତି କୈାଣସି ଅସାଧୁ ଲୋକଙ୍କ ଶୀକାର ନ ହୁଅନ୍ତି ସେଥିପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଓଡିଶାରେ ଖାଦ୍ୟଶସ୍ୟ ବିକ୍ରି କରିପାରିବେ ନାହିଁ ଛତିଶଗଡ ଚାଷୀ । ଛତିଶଗଡରୁ ବେଆଇନ ଭାବେ ଯେମିତି ଖାଦ୍ୟଶସ୍ର ଓଡିଶାକୁ ନଆସେ ସେଥିପାଇଁ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବରଗଡ, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏନେଇ ସତର୍କ ନଜର ରଖିବାକୁ କୁହାଯାଇଛି । ପଡୋଷୀ ଛତିଶଗଡରୁ ଯେମିତି ଅନଧିକୃତ ଭାବେ କେହି ଧାନ ଓ ଖାଦ୍ୟଶସ୍ୟ ନେଇ ଓଡିଶା ସୀମାକୁ ନଆସନ୍ତି ସେଥିପାଇଁ କଡା ନଜର ରଖିବାକୁ କୁହାଯାଇଛି ।

କିଛି ଅସାଧୁ ବ୍ୟବସାୟୀ ଓଡିଶା ଚାଷୀଙ୍କ ଠାରୁ ଧାନ ନକିଣି ଛତିଶଗଡି ଚାଷୀଙ୍କ ଠାରୁ ବେଆଇନ ଭାବେ ଧାନ ସଂଗ୍ରହ କରିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଓଡିଶା ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଟୋକନ ଅନୁଯାୟୀ ଯେମିତି ଧାନ କିଣା ଯିବ ତାକୁ କଡାକଡି ପାଳନ କରିବାକୁ କୁହାଯାଇଛି ।

ଏହା ସହିତ ଯେଉଁ ବ୍ୟକ୍ତି,ବ୍ୟବସାୟୀ ଅବା ମିଲର ସରକାରୀ ନିୟମ ନମାନି ବେଆଇନ ଭାବେ ପଡୋଶୀ ରାଜ୍ୟର ଚାଷୀଙ୍କ ଠାରୁ ଧାନ କଣିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଏହି ୮ଟି ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଛତିଶଗଡରୁ ଖାଦ୍ୟଶସ୍ୟ ଚାଲାଣ ରୋକିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।