ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ପ୍ରଚାର ଲଢ଼େଇ ! ରମଣ ସିଂହ ନିର୍ବାଚନ ମଣ୍ଡଳିରେ ରାହୁଲ କହିଲେ, ଅମ୍ବାନୀଙ୍କୁ ମୋଦି ଦେଇଛନ୍ତି ୩୦ କୋଟିର ଉପହାର ।

113

କନକ ବ୍ୟୁରୋ : ଛତିଶଗଡ଼ରେ ପ୍ରଚାର ଲଢ଼େଇ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଜଗଦଲପୁରରେ ପ୍ରଧାନମନ୍ତ୍ରୀ ପ୍ରଚାର କରିଥିବା ବେଳେ ରମଣ ସିଂହଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ସଭା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜଗଦଲପୁରରେ ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଛନ୍ତି-ଖାଲି ହାତ ନେଇ ଛତିଶଗଡ଼ ଆସି ନାହାଁନ୍ତି ବରଂ ସାଥିରେ ବିକାଶ ଯୋଜନା ନେଇ ଆସିଛନ୍ତି । ତାଙ୍କ ସରକାର ଆମ ସରକାର କହିବାର ସମୟ ଯାଇଛି । ସମସ୍ତ ଆସନରେ ପଦ୍ମ ଫୁଟାଇବାକୁ ଆହ୍ୱାନ ଦେବା ସହ ବାଜପେୟୀଙ୍କ ସ୍ୱପ୍ନ ସାକାର ନହେବା ଯାଏଁ ବିଶ୍ରାମ ନେବେ ନାହଁ ବୋଲି କହିଛନ୍ତି । ସେହିପରି ବସ୍ତର ଜିଲ୍ଲାକୁ ନକ୍ସଲ ମୁକ୍ତ ଭାବେ ଗଢ଼ି ତୋଳିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ସହରୀ ମାଓବାଦୀଙ୍କୁ ସମର୍ଥନ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଆଉ କିଛି ସହରୀ ମାଓବାଦୀ କଂଗ୍ରେସ ସମର୍ଥନରେ ନିର୍ବାଚନ ଲଢ଼ୁଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଆସନ୍ତା ସୋମବାର ପ୍ରଥମ ପର୍ଯ୍ୟୟ ନିର୍ବାଚନ ହେବ । ସେହିପରି ନଭେମ୍ବର ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହାରି ଭିତରେ ଜୋରଦାର ହୋଇଛି ପ୍ରଚାର ଲଢ଼େଇ ।

ଏପଟେ ବସ୍ତରରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କହିଛନ୍ତି ମୋଦି ତାଙ୍କ କିଛି ବନ୍ଧୁଙ୍କୁ ଦେଶର କୋଟି କୋଟି ଟଙ୍କା ଟେକି ଦେଇଛନ୍ତି । ଏମିତି କି ଅମ୍ବାନୀଙ୍କୁ ୩୦ କୋଟିର ଉପହାର ଦେଇଛନ୍ତ ବୋଲି ରାହୁଲ ଅଭିଯୋଗ କରିଛନ୍ତି ।