କନକ ବ୍ୟୁରୋ : ଭାରତର ସମ୍ବିଧାନ ମୁତାବକ ଜଣେ ବ୍ୟକ୍ତିର ବୟସ ୧୮ ବର୍ଷ ହୋଇଗଲେ ତାଙ୍କୁ ଭୋଟ ଦେବାର ଅଧିକାର ମିଳିଥାଏ । କେହି କେହି ଭୋଟ ଦେବାର ବୟସକୁ ୧୬ ବର୍ଷ କରିବା ପାଇଁ ମଧ୍ୟ ଦାବି କରୁଛନ୍ତି । କିଛି କିଛି କ୍ଷେତ୍ରରେ ସରକାରଙ୍କ ଅବହେଳା କାରଣରୁ କୌଣସି ବ୍ୟକ୍ତି ଭୋଟର କାର୍ଡ ପାଇବାକୁ ଗୋଟିଏ କିମ୍ବା ୨ ବର୍ଷ ଡେରି ହୋଇଯାଉଛି । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କର ବୟସ ୯୩ ବର୍ଷ ହୋଇଯାଇଥିଲେ ବି ଚଳିତ ଛତିଶଗଡ ବିଧାନସଭା ନିିର୍ବାଚନରେ ସେ ପ୍ରଥମଥର ପାଇଁ ମତଦାନ ଅଧିକାର ବା ଭୋଟ ପରିଚୟ ପତ୍ର ପାଇଛନ୍ତି ।

Advertisment

ଛତିଶଗଡ କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାନୁପ୍ରତାପପୁର ବିଧାନସଭା କ୍ଷେତ୍ରରେ ରହୁଥିବା ଶେରସିଂ ହିଡକୋ ୯୩ ବର୍ଷ ବୟସରେ ପ୍ରଥମଥର ପାଇଁ ମତଦାନ କରିଛନ୍ତି । ୯୩ ବର୍ଷ ବୟସ ହୋଇଯାଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଭୋଟ ପରିଚୟପତ୍ର ମିଳିନଥିଲା । ଏହି କାରଣରୁ ସେ ତାଙ୍କ ଜୀବନ କାଳରେ ଅନେକ ନିର୍ବାଚନ ଚାଲିଯାଇଥିଲେ ବି ସେ ଭୋଟ ଦେବାରୁ ବଞ୍ଚିତ ହେଉଥିଲେ  ।

ସୂଚନା ମୁତାବକ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ମତଦାତାଙ୍କ ଭୋଟର ତାଲିକାରେ ନାମ ଯୋଡିବା ଓ ଭୁଲ ଥିଲେ ତାହାକୁ ସଂଶୋଧନ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲେ । ଏହି କ୍ରମରେ କାଙ୍କେର ଜିଲ୍ଲାର ଭୋସାକହ୍ନାରରେ ରହୁଥିବା ୯୩ ବର୍ଷିୟ ଶେରସିଂ ହିଡକୋଙ୍କ ନାମ ମତଦାତା ସୂଚୀରେ ନଥିବା ଦେଖି ସରକାରୀ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଖୋଳତାଡ କରିବାକୁ ଜଣାପଡିଥିଲା କି ଶେରସିଂଙ୍କୁ ୯୩ ବର୍ଷ ହୋଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ନାମ ଭୋଟର ତାଲିକାରେ ଯୋଡି ହୋଇନାହିଁ । ଏହାପରେ ବିଭାଗୀୟ ଅଧିକାରୀମାନେ ତାଙ୍କ ନାମକୁ ଭୋଟର ତାଲିକାରେ ଯୋଡିବା ସହ ତାଙ୍କର ଭୋଟର ଆଇକାର୍ଡ ପ୍ରସ୍ତୁତ କରିଥିଲେ ।