ରିମାଣ୍ଡରେ ଗଲେ ଅନୁପ ସାଏ । ହାଇପ୍ରୋଫାଇଲ ହତ୍ୟାକାଣ୍ଡର ଖିଅ ଖୋଲିବାକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ବି ରିମାଣ୍ଡରେ ଗଲେ ।

226

କନକ ବ୍ୟୁରୋ: ରିମାଣ୍ଡରେ ଗଲେ ଅନୁପ ସାଏ । ଡବଲ ମର୍ଡର ଘଟଣାରେ ୩ ଦିନିଆ ରିମାଣ୍ଡରେ ଗଲେ ଅନୁପ । ଅଧିକ ପଚରା ଉଚରା ପାଇଁ ଅନୁପ ସାଏଙ୍କୁ ରିମାଣ୍ଡରେ ନେଲା ଚକ୍ରଧରନଗର ଥାନା ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ଏଭଳି ହାଇପ୍ରୋଫାଇଲ ହତ୍ୟାକାଣ୍ଡ କରିଥିଲେ ତାର ମୂଳକୁ ଯାଇ ଖିଅ ଖୋଲିବାକୁ ପୋଲିସ ରିମାଣ୍ଡ ଆବେଦନ କରିଥିଲା । ଆଉ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଛନ୍ତି ରାୟଗଡ ସିଜେଏମ ।

ତେବେ ଖାଲି ଅନୁପ ନୁହଁନ୍ତି ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ବି ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ମର୍ଡର ମୁକସାକ୍ଷୀ ପାଲଟିଥିବା ଅନୁପଙ୍କ ଡ୍ରାଇଭର ହତ୍ୟା ବାବଦରେ ଅଧିକ ତଥ୍ୟ ଦେଇପାରନ୍ତି । କାରଣ ବୋଲେରୋ ଚଢାଇ ଯେଉଁଭଳି ଭାବେ ନିର୍ମମ ହତ୍ୟା କରାଯାଇଥିଲା ତାହା ବର୍ଦ୍ଧନ ହିଁ କରିଥିଲେ ବୋଲି ଅଭିଯୋଗ ହେଉଛି । କିଛି ଦିନ ତଳେ ଡ୍ରାଇଭର ଟପ୍ପୋ ବି ହତ୍ୟାସ୍ଥଳରେ ଡେମୋ ଦେଖାଇଥିଲେ । ତେବେ ହତ୍ୟା ଉପରୁ ପୂରା ଗୁମର ଫିଟାଇବାକୁ ତାଙ୍କୁ ବି ରିମାଣ୍ଡରେ ନେଇଛି ପୋଲିସ ।

ସେପଟେ ଖସିଯିବେ କି ଅନୁପ ସାଏ ? କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ଜେଲରେ ରହିଥିବା ପୂର୍ବତନ ବିଧାୟକ ଖସିଯିବେ କି ? ଏବେ ଏହି ପ୍ରଶ୍ନକୁ ନେଇ ଛତିଶଗଡର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ନବଭାରତ ଟାଇମ୍ସରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ପୋଲିସ ପାଇଁ ଏତେଟା ସହଜ ହେଉନାହିଁ । ତେଣୁ ପୋଲିସ ଅଧିକ ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି । ଚଢାଯାଇଥିବା ଗାଡି ପୋଲିସକୁ ମିଳିନାହିଁ । ଯେଉଁ ଲୁହାଛଡରେ ମା ଓ ଝିଅଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା ତାହା ମଧ୍ୟ ପୋଲିସ ହାତରେ ଲାଗିନାହିଁ ।

ଅନ୍ୟପଟେ ବର୍ଦ୍ଧନ ଟପ୍ପୋ ଗଣମାଧ୍ୟମ ଆଗରେ କହିସାରିଛି, ତାର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନାହିଁ । ଏପରି ସ୍ଥିତିରେ ପୋଲିସ ପାଇଁ ସବୁଠୁ ବଡ ଚ୍ୟାଲେଂଜ ହୋଇଛି, ହତ୍ୟାକାଣ୍ଡରେ ଏ ଦୁହେଁ କିପରି ସମ୍ପୃକ୍ତ ତାହା ପ୍ରମାଣ କରିବା । ତେଣୁ ପୋଲିସ ଏବେ ଦୁହିଁଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ଆଉ କିଛି ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି । ଏହି ମାମଲାରେ ଅଭାବ ରହିଥିବା ଦିଗ ଗୁଡିକ ହେଉଛି, ପ୍ରତ୍ୟକ୍ଷଦର୍ଶୀ, ବୋଲେରୋରେ ରକ୍ତର ଚିହ୍ନ, ଡ୍ରାଇଭରର ବୟାନ, ଯାହାକି ଅନୁପ ସାୟଙ୍କୁ ଖସାଇବାରେ ସାହାଯ୍ୟ କରିପାରେ ।

ଅନୁପ ଜଣେ ପଇସା ବାଲା ହୋଇଥିବାରୁ ବିଭିନ୍ନ ସ୍ତରରେ ଟଙ୍କାର ଲୋଭ ଦେଖାଇ ମାମଲାକୁ ରଫା ଦଫା କରିବା ପାଇଁ ପ୍ରୟାସ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ବଡ କଥା ହେଉଛି କଳ୍ପନା ଏବଂ ବବଲିଙ୍କ ତରଫରୁ ଏହି ମାମଲା ଲଢିବ କିଏ । କଳ୍ପନାଙ୍କ ପୂର୍ବତନ ସ୍ୱାମୀଙ୍କ କ୍ଷମତା ନାହିଁ ଏହି ମାମଲାରେ କୋର୍ଟରେ ଲଢିବା ପାଇଁ । ଏପରି ସ୍ଥିତିରେ ଅନୁପ ସାଏ ଏହାର ଫାଇଦା ନେଇପାରନ୍ତି ଏବଂ ସହଜରେ ଖସିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ୨୦୧୬ ମାଆ-ଝିଅ ହତ୍ୟାକାଣ୍ଡ ମାମଲାରେ ଆଉ କାହାର ସମ୍ପୃକ୍ତି ଥିଲା ସେ ନେଇ ମଧ୍ୟ ଖୋଳତାଡ କରିବା ପାଇଁ ଅନୁପ ଓ ଡ୍ରାଇଭରଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।