ଛତିଶଗଡରେ କରୋନାର ଭୟଙ୍କର ଚିତ୍ର : ଭିଲାଇର ମୁକ୍ତିଧାମରେ ଅହରହ ଜଳୁଛି ଜୁଇ, ଦିନକୁ ସଂସ୍କାର ହେଉଛି ୬୦ରୁ ଅଧିକ ଶବ

ସ୍ଥାନ ଅଭାବ ପାଇଁ ମୃତଦେହକୁ ଫେରାଇ ନେଇ ଫ୍ରିଜରରେ ରଖୁଛନ୍ତି ସମ୍ପର୍କୀୟ

545

କନକ ବ୍ୟୁରୋ : ମହାମାରୀର ମାୟା ଜାଲରେ ଛନ୍ଦି ହୋଇପଡିଛି ସାରା ବିଶ୍ୱ । କରୋନାର ଦ୍ୱିତୀୟ ଲହର ଲୋକଙ୍କୁ ଆତଙ୍କିତ କରୁଛି । ଆଉ ଆତଙ୍କର ଛାତିଥରା ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ଦୁର୍ଗରେ । ଭିଲାଇର ମୁକ୍ତିଧାମ ଶଶ୍ମାନରେ ଏକାବେଳକେ ଜଳୁଛି ୨୦ରୁ ଅଧିକ ଜୁଇ । ଏତେ ସଂଖ୍ୟକ ମୃତଦେହ ସତ୍କାର ପାଇଁ ଆସୁଛି, ଯେ ଜାଗା ହିଁ ମିଳୁନି । ଜୁଇ ଜାଳିବାକୁ ସ୍ଥାନର ଅଭାବ ହେବାରୁ ସଂପର୍କୀୟ ଶବ ଫେରାଇ ନେଇ ଫ୍ରିଜରରେ ରଖିବାକୁ ବାଧ୍ୟ ହେଉଛନ୍ତି ।

ଛତିଶଗଡର ଦୁର୍ଗ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ହୁ ହୁ ବଢୁଛି । ଗତ ୨୪ ଘଂଟାରେ ସେଠାରେ ୧୦ ହଜାର ୫୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି । ମୁକ୍ତଧାମରେ ଏକାଥରେ ୨୦ରୁ ୩୦ ଶବ ପୋଡା ଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଠାରେ ଦିନକୁ ପ୍ରାୟ ୬୦ରୁ ଅଧିକ ଶବ ଦାହ କରାଯାଉଛି । ଛତିଶଗଡର ଏହି ଭୟଙ୍କର ଚିତ୍ର ଆମକୁ ଗତ ବର୍ଷର ଭୁବନେଶ୍ୱର ସତ୍ୟନଗର ଶଶ୍ମାନର କଥା ମନପକାଇ ଦେଉଛି ।

ଏବେ ଠାରୁ ସତର୍କ ନହେଲେ ଆଗାମୀ ଦିନରେ ଓଡ଼ିଶାରେ ବି ଛତିଶଗଡ଼ ସ୍ଥିିତି ଆସିପାରେ ଏହି ଆଶଙ୍କା ଉପୁଜୁଛି । କାରଣ ଛତିଶଗଡ଼ର ସୀମା ଓଡ଼ିଶାର ପାଖାପାଖି ୧୦ଟି ଜିଲ୍ଲାକୁ ଛୁଇଁଛି । ଦେଶରେ ଏବେ ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ୧ ନମ୍ବରରେ ଥିବା ବେଳେ ଉତର ପ୍ରଦେଶ ଦ୍ୱିତୀୟ ଓ ଛତିଶଗଡ ତୃତୀୟ ସ୍ଥାନରେ ରହିଛି ।