କଂଗ୍ରେସକୁ କନ୍ଦଳ କାଳ । ଛତିଶଗଡରେ ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ପହଂଚିଲେ ଭୂପେଶ ବଘେଲ ଓ ଟିଏସ ସିଂଦେବ

131

କନକ ବ୍ୟୁରୋ : ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଭିତରେ ସବୁ କିଛି ଠିକ ଠାକ୍ ଚାଲୁନାହିଁ । ପଞ୍ଜାବ କଂଗ୍ରେସରେ ଚାଲିଥିବା କନ୍ଦଳ ଏପର୍ଯ୍ୟନ୍ତ ଶାନ୍ତ ପଡିନଥିବା ବେଳେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଛତିଶଗଡରେ ଆରମ୍ଭ ହୋଇଛି କନ୍ଦଳ । ଛତିଶଗଡରେ ମୁ୍ଖ୍ୟମନ୍ତ୍ରୀ ବଦଳାଇବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ କେନ୍ଦ୍ର କଂଗ୍ରେସ ଉପରେ ଚାପ ପକାଯାଉଛି । କହିରଖୁ କି ପାର୍ଟିର ମୁଖ୍ୟ ଏପର୍ଯ୍ୟନ୍ତ ସେନେଇ କିଛି ସଂକେତ ଦେଇ ନାହାନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶସିଂ ବଘେଲ, ଦଳର କିଛି ବରିଷ୍ଠ ନେତା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂଦେବଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ଏହି ଦୁଇ ନେତା ଆଜି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀ ପହଂଚିଛନ୍ତି ।

ଟିଏସ ସିଂଦେବଙ୍କ ସମର୍ଥକମାନେ କହିଛନ୍ତି କି ସରକାର ଗଠନ ବେଳେ ଅଢେଇ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ହୋଇଥିଲା । ଏହି କ୍ରମରେ ଏବେ ସିଂଦେବ ମୁଖ୍ୟମନ୍ତ୍ରୀ ହେବା କଥା । ଅନ୍ୟପଟେ ବଘେଲଙ୍କ ସହଯୋଗୀ କହିଛନ୍ତି କି ସେମିତି କିଛି ଚୁକ୍ତି ହୋଇ ନଥିଲା ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ବଘେଲ ଓ ସିଂଦେବ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଂଚିସାରିଛନ୍ତି । ସେମାନେ ରାହୁଲ ଗାନ୍ଧୀଙ୍କୁ ଭେଟି ଏ ବାବଦରେ ଆଲୋଚନା କରିବେ । ଏହି ବୈଠକରେ ଛତିଶଗଡ କଂଗ୍ରେସ ପ୍ରଭାରୀ ପି.ଏଲ ପୁନିଆ ଓ କଂଗ୍ରେସ ସାଂଗଠନିକ ମହାସଚିବ କେ.ସି ବେଣୁ ଗୋପାଳ ଏହି ବୈଠକରେ ଉପସ୍ଥିତ ରହିବେ ବୋଲି ଅନୁମାନ କରାଯାଉଛି । ଦିଲ୍ଲୀ ବାହାରିବା ପୂର୍ବରୁ ଗଣମାଧ୍ୟମକୁ ବଘେଲ କହିଛନ୍ତି କି ରାହୁଲ ଗାନ୍ଧୀ ତାଙ୍କୁ ଦିଲ୍ଲୀ ଡାକିଛନ୍ତି । ବେଣୁ ଗୋପାଳଙ୍କ ସହିତ ବୈଠକ ରହିଛି ଓ ରାଜ୍ୟ ପ୍ରଭାରୀ ବି ଏହି ବୈଠକରେ ଉପସ୍ଥିତ ରହିବେ ।
କହିରଖୁ କି ୨୦୧୮ ଡିସେମ୍ବର ମାସରେ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବଘେଲ ଓ ସିଂଦେଓଙ୍କ ମଧ୍ୟରେ ସଂପର୍କ ସହଜ ହୋଇପାରି ନଥିଲା । ହେଲେ କଂଗ୍ରେସ ବିଧାୟକ ବୃହଷ୍ପତି ସିଂ ଟିଏସ ସିଂଦେବଙ୍କ ନାମରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି ବୋଲି ଅଭିଯୋଗ ଆଣିବା ପରେ ବିବାଦ ଉଗ୍ରରୂପ ନେଇଛି  ।