କନକ ବ୍ୟୁରୋ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାଜ୍ୟର ବେକାର ଯୁବକଙ୍କ ପାଇଁ ଏକ ବଡ ଉପହାର ଘୋଷଣା କରିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ଗୁରୁବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ବାଘେଲ ବେକାର ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ବେକାର ଯୁବକମାନେ ଆସନ୍ତା ଆର୍ଥିକ ବର୍ଷରୁ ଏହି ଭତ୍ତା ପାଇବେ। ଭତ୍ତା ରାଶି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି। କେତେ ଟଙ୍କା ଭତ୍ତା ପାଇବେ ତାହା ବଜେଟରେ ଘୋଷଣା କରାଯିବ।

Advertisment

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ଏହି ବିଷୟରେ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ବାଘେଲ ଲେଖିଛନ୍ତି ଯେ, ମୁଁ ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ବେରୋଜଗାର ଯୁବକ ମାନଙ୍କ ପାଇଁ ପ୍ରତି ମାସରେ ବେକାରୀ ଭତ୍ତା ଘୋଷଣା କରୁଛି।

ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ବେକାରୀ ଭତ୍ତା ଘୋଷଣା କରିଛନ୍ତି। ବର୍ଷର ଶେଷ ନଭେମ୍ବର ମାସରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ଦେଇଥିବା ଏହି ଘୋଷଣା ରାଜ୍ୟର ବେକାର ଯୁବକମାନଙ୍କୁ କିଛି ମାତ୍ରାରେ ଆରାମ ଦେବ, କିନ୍ତୁ ଏକ ପ୍ରଶ୍ନ ଉଠିବ ଯେ କେତେ ଦିନ ଯାଏ ଏପରି ବେକାରି ଭତ୍ତାରେ ଗୁଜୁରାଣ ମେଣ୍ଟିବ?

ଛତିଶଗଡ ସହିତ ଚଳିତ ବର୍ଷ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ରାଜ୍ୟଗୁଡ଼ିକରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, କର୍ଣ୍ଣାଟକ, ତେଲେଙ୍ଗାନା, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମ ଅନ୍ତର୍ଭୁକ୍ତ। ଏହି ରାଜ୍ୟଗୁଡିକରେ ଏପରି ଦୁଇଟି ରାଜ୍ୟ ଅଛି ଯେଉଁଠାରେ କଂଗ୍ରେସ ସରକାର ଅଛି। ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ସମୟରେ ଉତ୍ତର-ପୂର୍ବର ତିନୋଟି ରାଜ୍ୟରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୁଏ। ଯେଉଁଥିରେ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ନାମ ଅନ୍ତର୍ଭୁକ୍ତ।