କନକ ବ୍ୟୁରୋ: ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଲୁହ । ଦଳୀୟ ବୈଠକରେ କାନ୍ଦିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଛତିଶଗଡ ପ୍ରଦେଶ କଂଗ୍ରେସ କମିଟି ବୈଠକ ଚାଲିଥିବା ବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରକୃତରେ ବର୍ତମାନ ଯାଏଁ ବାଘେଲ ଥିଲେ ଛତିଶଗଡ ପିସିସି ସଭାପତି । ପ୍ରଦେଶ କଂଗ୍ରେସ କମିଟିର ଦାୟିତ୍ୱ ତାଙ୍କ ହାତରେ ରହିଥିଲା । ହେଲେ ଏବେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ପିସିସି ସଭାପତି ପଦଭାର ଅନ୍ୟ ଜଣକୁ ଦେବାକୁ ପଡିବ । ଏକାବେଳକେ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦ ତାଙ୍କ ପାଖରେ ରହିପାରିବ ନାହିଁ । ତେଣୁ କର୍ମୀଙ୍କ ପିସିସି ସଭାପତି ଭାବେ ବିଦାୟୀ ଭାଷଣ ଦେବା ବେଳେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ।

Advertisment

ଶନିବାର ଛତିଶଗଡ ରାଜଧାନୀରେ ଆୟୋଜିତ ସଭାରେ ଜାତୀୟ କଂଗ୍ରେସ ନେତା ପିଏଲ୍ ପୁନିଆ, ନବନିଯୁକ୍ତ ସିପିସିସି ଅଧ୍ୟକ୍ଷ ମୋହନ ସରକାର ମଧ୍ୟ ଉପସ୍ଥିତ ଥିଲେ । ୨୦୧୩ରେ ଛତିଶଗଡରେ କଂଗ୍ରେସ ନିର୍ବାଚନ ହାରିବା ପରେ ରାହୁଲ ଗାନ୍ଧି , ବାଘେଲଙ୍କୁ ଦେଇଥିଲେ ଛତିଶଗଡ ପିସିସି ଦାୟିତ୍ୱ । ଏହା ମଧ୍ୟରେ ଛତିଶଗଡରେ କଂଗ୍ରେସ ବିଜେପିକୁ ହଟାଇ କ୍ଷମତାକୁ ଆସିଛି । ଏସବୁ ବାଘେଲଙ୍କ ନେତୃତ୍ୱରେ ହୋଇଥିଲା । ନିଜର ଦାୟିତ୍ୱ ହସ୍ତାନ୍ତର ବୈଠକରେ ବାଘେଲ ଦଳର ସଫଳତା ପାଇଁ କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ ।