କନକ ବ୍ୟୁରୋ : ଗଙ୍ଗା ଜଳରେ ଜିଏସଟି । ୧୮ ପ୍ରତିଶତ ଜିଏସଟି ଲାଗିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ୪ ଦିନ ତଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ନେଇ ତେଜିଲା ରାଜନୀତି । ଶାସକ ଦଳ ବିଜେପି ହିନ୍ଦୁଧର୍ମ ଓ ପରମ୍ପରାର ସୁରକ୍ଷାକୁ ନେଇ ରାଜନୀତି କରି ଆସୁଛି । ଏପରି ସ୍ଥିତିରେ ଗଙ୍ଗାଜଳରେ ଜିଏସଟି ଲଗାଇବାକୁ ନେଇ ବିରୋଧୀ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ।

Advertisment

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ଆଉ ନକଲି ରାମଭକ୍ତ ବୋଲି କହି କଟାକ୍ଷ କରିଛନ୍ତି । ଗଙ୍ଗାଜଳରେ ୧୮ ପ୍ରତିଶତ ଜିଏସଟି ଲଗାଇବା ପରେ ନକଲି ରାମଭକ୍ତଙ୍କ ମିଛ ଚେହେରା ଉପରୁ ପରଦା ହଟିଛି ବୋଲି ସେ କହିଛନ୍ତି । ଗଙ୍ଗା ହେଉଛନ୍ତି ମା' । ତାର ଜଳ ପବିତ୍ରତାର ପ୍ରତୀକ । ଗଙ୍ଗାରେ ସ୍ନାନ କଲେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତ ହୁଏ । ପ୍ରତି ଘରେ ଗଙ୍ଗା ଜଳ ରଖି ପୂଜାର୍ଚ୍ଚନା କରାଯାଏ । ଏପରି ସ୍ଥିତିରେ ଗଙ୍ଗାଜଳରେ କେନ୍ଦ୍ର ସରକାର ଜିଏସଟି ଲଗାଇବାକୁ ବିରୋଧୀ ସହଜରେ ଗ୍ରହଣ କରିପାରି ନାହାନ୍ତି । କେନ୍ଦ୍ର ସରକାର ୨୦୧୬ ମସିହାରେ ଆପଣଙ୍କ ଦ୍ୱାରେ ଗଙ୍ଗାଜଳ ଯୋଜନା ଆରମ୍ଭ କରିଥିଲେ ।

ଏହାର ଉଦ୍ଦେଶ୍ୟ ଖାଣ୍ଟି ଗଙ୍ଗା ଜଳକୁ ସହଜରେ ଲୋକଙ୍କ ନିକଟରେ ଉପଲବ୍ଧ କରାଇବା ଏବଂ ଡାକଘରର ଆୟ ବୃଦ୍ଧି କରିବା । ଆରମ୍ଭରେ ଋଷିକେଶ ଏବଂ ଗଙ୍ଗୋତ୍ରିରୁ ଆସୁଥିବା ୨୦୦ ଏବଂ ୫୦୦ ମିଲିଲିଟର ଗଙ୍ଗା ଜଳର ମୂଲ୍ୟ ଯଥାକ୍ରମେ ୨୮ ଏବଂ ୩୮ ଟଙ୍କା ଥିଲା । ଏବେ ଡାକ ବିଭାଗ ପକ୍ଷରୁ ଗାଙ୍ଗୋତ୍ରିର ୨୫୦ ମିଲିଲିଟର ବୋତଲ ଗଙ୍ଗା ପାଣି ୩୦ ଟଙ୍କା ହୋଇଛି । କିନ୍ତୁ ଏବେ ସରକାର ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି ଯେଉଁଥିପାଇଁ ଏହାର ମୂଲ୍ୟ ୩୫ ଟଙ୍କା ହୋଇଛି ।