ଛତିଶଗଡ ସୀମାରେ ପଡିଲା ବାଡ । ଗଳାବାଟକୁ ବନ୍ଦ କଲେ ଗ୍ରାମବାସୀ । ସଂକ୍ରମଣର ଦ୍ୱିତୀୟ ଲହରକୁ ଦେଖୁ ଆଗୁଆ ସଚେତନ ଲୋକେ ।

173

କନକ ବ୍ୟୁରୋ: ଛତିଶଗଡ ସୀମାରେ ପଡିଲା ବାଡ । ଗଳା ବାଟ ଦେଇ ପ୍ରବେଶ କରୁଥିବା ଛତିଶଗଡ ଲୋକଙ୍କ ଓଡିଶା ସୀମାରେ ପ୍ରବେଶ ନେଇ ରୋକ ଲଗାଇଛନ୍ତି ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଡାଗୁଡା ଗାଁ କୁ ଲାଗି ରହିଥିବା ଗଳା ବାଟକୁ ବନ୍ଦ କରି ସିଲ କରିଛନ୍ତି ଲୋକେ । ମାଥିଲି ବ୍ଲକ ଅଧ୍ୟକ୍ଷା ଏବଂ କତାପାଲି ରାଜସ୍ୱ ଅଧିକାରୀଙ୍କ ନେତୃତ୍ୱରେ ଗାଁ ଲୋକେ ଏକାଠି କରୋନା ମହାମାରିକୁ ନେଇ ସତର୍କ ହୋଇ ବାଡ ବାନ୍ଧିଛନ୍ତି । ତେବେ ପ୍ରତିଦିନ ବଡାଗୁଡାକୁ ଲାଗି ରହିଥିବା ଗଳା ବାଟ ଦେଇ ଛତିଶଗଡରୁ ଅନେକ ଲୋକେ ଯାତାୟତ କରୁଥିଲେ । ଯାହା ଫଳରେ କରୋନା ସଂକ୍ରମଣ ବ୍ୟାପିିବାର ଭୟ ଲାଗି ରହିଥିଲା । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ତରଫରୁ କୈଣସି ପଦକ୍ଷେପ ହୋଇନଥିଲା । ବିପଦକୁ ଦେଖି ରାଜସ୍ୱ ଅଧିକାରୀ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ସୀମାରେ ବାଡ ବାନ୍ଧିଛନ୍ତି ଲୋକେ । ଓଡିଶାକୁ ଲାଗି ରହି ଛତିଶଗଡର ଓଲେର ଗ୍ରାମ ରହିଛି । ସେହିପରି କମାରପାଲି ଠାରେ ମଧ୍ୟ ସୀମା ସିଲ କରିଛନ୍ତି ଗ୍ରାମବାସୀ ।