କନକ ବ୍ୟୁରୋ : ଅଧାରୁ ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା ବ୍ୟାକ୍ ୱାଟର ସର୍ଭେ । ନିଜ ସୀମାରେ ସର୍ଭେ ପାଇଁ ଅଟକାଇଲା ଛତିଶଗଡ଼ ଜଳସମ୍ପଦ ବିଭାଗ । ଫଳରେ ଅଧାରୁ ବନ୍ଦ ହେଲା ସର୍ଭେ । ହୀରାକୁଦ ଜଳଭଣ୍ଡାରରୁ ଏହି ସର୍ଭେ ଆରମ୍ଭ ହୋଇ କଲମା ଯାଏଁ ପହଂଚିଥିଲା । ହେଲେ ଛତିଶଗଡ଼ ଜଳସମ୍ପଦ ବିଭାଗ ଏହି ଖବର ପାଇବା ପରେ ଘଟଣାସ୍ଥଳକୁ ଆସି ସର୍ଭେରେ ରୋକ ଲଗାଇଛି । ଟିବ୍ୟୁନାଲ ନିର୍ଦ୍ଦେଶରେ ଏହି ସର୍ଭେ ହେଉଥିବା ବେଳେ ଛତିଶଗଡ଼ କାହିଁକି ଏହାକୁ ଅଟକାଇଲା, ତାହା ଜଣାପଡ଼ିନାହିଁ ।
ମୁମ୍ବାଇର ଏକ ପ୍ରାଇଭେଟ୍ ସଂସ୍ଥାକୁ ମିଳିଛି ଏହି ଦାୟିତ୍ୱ । ହୀରାକୁଦ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳରାଶିରେ ଉପରମୁଣ୍ଡକୁ ୧୫୦ କିଲୋମିଟର ଯାଏଁ ଏହି ସର୍ଭେ ହେବାକୁଥିବା ବେଳେ ତଳମୁଣ୍ଡରେ ୫୦ କିଲୋମିଟର ଯାଏଁ ଏହି ସର୍ଭେ ହେବା ପାଇଁ ସ୍ଥିର ହୋଇଛି । ଦୁଇଟି ପର୍ଯ୍ୟାୟରେ ସର୍ଭେ ହେଉଥିଲା । ମହାନଦୀରେ ଛତିଶଗଡ ଶତାଧିକ ଛୋଟବଡ଼ ବନ୍ଧ ନିର୍ମାଣ କରି ଜଳପ୍ରବାହରେ ରୋକ ଲଗାଉଛି । ମୁଖ୍ୟତଃ ଅଣ-ମୈାସୁମୀ ଋତୁ ଆସିଲେ କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ କରି ରଖୁଛି, ଯାହା ଫଳରେ ମହାନଦୀର ତଳମୁଣ୍ଡ ଶୁଖିଲା ପଡୁଛି । ଫଳରେ ବିଦ୍ୟୁତ ଉତ୍ପାଦନ ଠାରୁ ଆରମ୍ଭ କରି ଜଳସେଚନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେଉଛି ଓଡିଶା । ପିଇବା ପାଣି ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି । ଏବେ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା ବ୍ୟାକ୍ ୱାଟର ସର୍ଭେକୁ ବନ୍ଦ କରି କ’ଣ ଲୁଚାଇବାକୁ ଚେଷ୍ଟା କରୁଛି ଛତିଶଗଡ଼ । ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଫଳରେ ହୀରାକୁଦକୁ ଜଳପ୍ରବାହ କମିଯାଉଥିବା ନେଇ ନିକଟରେ ଖବର ପ୍ରକାଶ ପାଇଥିଲା । କାଳେ ପଡ଼ୋଶୀର ଚଞ୍ଚକତା ଧରିପଡ଼ିଯିବ, ସେହି ଭୟରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିର୍ଦ୍ଦେଶ ସତ୍ୱେ ସର୍ଭେ କାମକୁ ଅଟକାଉନି ତ ଛତିଶଗଡ଼?