ଲକ୍ଷେ ଟଙ୍କିଆ ଫୋନ୍ ପାଇଁ ଡ୍ୟାମରୁ ପାଣି ଶୁଖାଇଥିଲେ, ଏବେ ଦେବାକୁ ପଡ଼ିବ ଫାଇନ୍ : ଖବର ପ୍ରସାରଣ ପରେ ନିଲମ୍ବିତ ହୋଇଥିଲେ ଅଧିକାରୀ

1,134

କନକ ବ୍ୟୁରୋ : ବାବୁ ଗଣିବେ ତଣ୍ଡ । ଡ୍ୟାମରୁ ପାଣି ଶୁଖାଇଥିଲେ, ଏବେ ଦେବାକୁ ପଡ଼ିବ ଫାଇନ୍ । ଯେତେ ପାଣି ଶୁଖାଇଥିଲେ, ସେତେ ଫାଇନ ଦେବେ ଛତିଶଗଡ଼ କାଙ୍କେର ଜିଲ୍ଲା କୋୟଲିବେଡା ବ୍ଲକର ଖାଦ୍ୟ ନୀରିକ୍ଷକ ରାଜେଶ ବିଶ୍ୱାସ । ୫୩ ହଜାର ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜେଶ ବିଶ୍ୱାସ ଦାମୀ ମୋବାଇଲ୍ ପାଣିରେ ପଡ଼ିଯାଇଥିଲା ।

ଫୋନକୁ ଖୋଜିବା ଲାଗି ଜଳାଶୟରେ ମୋଟର ପମ୍ପ ଲଗାଇ ପାଣି ଶୁଖାଇ ଦେଇଥିଲେ ସରକାରୀ ବାବୁ । ରାଜେଶ ନିଜ ସାଙ୍ଗ ସାଥୀଙ୍କ ସହ ବଣଭୋଜି କରିବାକୁ ସ୍ଥାନୀୟ ଖରକେଟ୍ଟା ଜଳାଶୟକୁ ଯାଇଥିଲେ । ସେଠାରେ ମୌଜମସ୍ତି କରି ବୁଲାବୁଲି କରିବା ସମୟରେ ଅସାବଧତା ଯୋଗୁଁ ରାଜେଶଙ୍କ ମୋବାଇଲ ଫୋନ ଜଳାଶୟ ଭିତରେ ଖସି ପଡିଥିଲା । ଆଉ ମୋବାଇଲ ଉଦ୍ଧାର କରିବା ପାଇଁ ଖାଦ୍ୟ ନୀରିକ୍ଷକ ରାଜେଶ ବିଶ୍ୱାସ ପାଣି ଶୁଖାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ।

ଆଉ ତାଙ୍କ ନିଷ୍ପତି ଅନୁସାରେ ୩୦ ଏଚପିର ମୋଟର ପମ୍ପ ୩ ଦିନ ଲଗାଇ ଜଳାଶୟରୁ ପାଣି ଖାଲି କରିଦିଆଯାଇଥିଲା । ୩ ଦିନରେ ପ୍ରାୟ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିବା ପରେ ବାବୁଙ୍କ ମୋବାଇଲ ମିଳିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଖାଦ୍ୟ ନୀରିକ୍ଷକ ରାଜେଶ ବିଶ୍ୱାସଙ୍କୁ ନିଲମ୍ବିତ କରିଛନ୍ତି କାଂକେର ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଲା । ଏଥିସହ ଜଳ ସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ କରାଯାଇଛି ।