କିଏ ହେବ ଛତ୍ରପୁରର ଛତ୍ରପତି? ମେଣ୍ଟ କରି ମୈଦାନକୁ ଓହ୍ଲାଇବେ କଂଗ୍ରେସ-ସିପିଆଇ, ବିଜୟ ପାଇଁ ବଳ କଷୁଛନ୍ତି ବିଜେଡି ଓ ବିଜେପି ।

236

କନକ ବ୍ୟୁରୋ : କିଏ ହେବ ଛତ୍ରପୁରର ଛତ୍ରପତି । ଗଞ୍ଜାମ ଜିଲ୍ଲାର ବାମଗଡ ଭାବେ ପରିଚିତ ହୋଇ ଆସୁଥିବା ଛତ୍ରପୁରରେ ବିଜେଡି ଗଠନର ଦୀର୍ଘ ୧୪ ବର୍ଷ ପରେ ଏହି ଆସନରେ ବିଜୟ ଟୀକା ପିନ୍ଧିଥିଲା ଦଳ । ଯାହା ଦଳ ପାଇଁ ସବୁଠାରୁ ବଡ ସଫଳତା ବୋଲି କୁହାଯାଉଥିଲା । କାରଣ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଜିଲ୍ଲାରେ ଛତ୍ରପୁର ଆସନ ଜିତି ବିଜେଡିର ସମ୍ମାନ ବଞ୍ଚାଇଥିଲେ ଯୁବ ନେତା ପ୍ରିୟାଂଶୁ ପ୍ରଧାନ । ବାମଗଡରେ ଧସେଇ ପଶିଥିଲେ ପ୍ରିୟାଂଶୁ । ତେବେ ପୂର୍ବରୁ ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ ବିଜେପି ହାତରେ ଥିଲା ଏହି ଆସନ । ଏହି ଆସନରେ ଭୋଟର ମାନେ ପ୍ରତିଦଳକୁ ବିଜୟୀ ହେବାର ସୁଯୋଗ ଦେଇଥିବା ବେଳେ ଚଳିତଥର ନୂଆ ସମୀକରଣ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଖାସକରି ଆଗାମୀ ବିଧାନସଭା ନିର୍ବାଚନରେ ସ୍ଥିତି ବଜାୟ ରଖିବା ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ଛତ୍ରପୁର ବିଧାନସଭା କ୍ଷେତ୍ର ୨୦୦୯ ସୀମା ନିର୍ଦ୍ଧାରଣ ପରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ ଏବଂ ଛତ୍ରପୁର, ଗଞ୍ଜାମ ଓ ରମ୍ଭା ତିନିଟି ଏନଏସିକୁ ନେଇ ବିଧାନସଭା ଏହି ନିର୍ବାଚନ ମଣ୍ଡଳୀ ଗଠିତ। ୧୯୫୧ ଠାରୁ ଅଦ୍ୟାବଧି ୧୫ଟି ନିର୍ବାଚନ ହୋଇଛି। ଏହି କ୍ଷେତ୍ରରୁ ସ୍ବାଧୀନ ପ୍ରାର୍ଥୀ ଥରେ, କଂଗ୍ରେସ ପ୍ରାର୍ଥୀ ୩ ଥର, ଉତ୍କଳ କଂଗ୍ରେସ ପ୍ରାର୍ଥୀ ଥରେ, ବିଜେପି(ବିଜେଡି ସହ ମେଣ୍ଟରେ) ଥରେ, ସିପିଆଇ ପ୍ରାର୍ଥୀ ୮ ଥର ଓ ବିଜେଡି ପ୍ରାର୍ଥୀ ଥରେ ବିଜୟୀ ହୋଇଛନ୍ତି। ଏହି ଆସନରୁ ସିପିଆଇର ଲକ୍ଷ୍ମଣ ମହାପାତ୍ର ସର୍ବାଧିକ ୩ଥର ବିଜୟୀ ହୋଇଥିଲେ। ଏପରିକି ଏହି ଆସନରେ ସିପିଆଇର ସ୍ଥିତି ଏଭଳି ରହିଥିଲା, ଜାତୀୟ ଓ ଆଞ୍ଚଳିକ ଦଳମାନେ ବାମ ଦଳ ସହ ମେଣ୍ଟ ବେଳେ ଏହି ଆସନକୁ ସିପିଆଇକୁ ଛାଡୁଥିଲେ।

୨୦୧୪ରେ କୌଣସି ଦଳ ମଧ୍ୟରେ ମେଣ୍ଟ ନ ଥିବା ବେଳେ ବିଜେଡି, କଂଗ୍ରେସ, ବିଜେପି ଏବଂ ସିପିଆଇ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଡାକ୍ତର ପ୍ରିୟାଂଶୁ ପ୍ରଧାନ ବିଜେଡିରୁ ଲଢି ୫୩,୨୨୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ଏହି ଆସନକୁ ପ୍ରଥମ ଥର ପାଇଁ ଦଖଲ କରିଥିଲେ ହେଁ ପରବର୍ତ୍ତୀ ସମୟରେ ସ୍ଥିତି ଦୋହଲିବାରେ ଲାଗିଛି। ସାଂସଦ-ବିଧାୟକ ଗୋଷ୍ଠୀ ମଧ୍ୟରେ ମତଭେଦ ଲାଗି ରହିଛି। ଫଳ ସ୍ବରୂପ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରି ପାରି ନଥିଲା। ପଞ୍ଚାୟତ ନିର୍ବାଚନରେ ଏହି କ୍ଷେତ୍ରର ୫ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୪ଟି ବିଜେଡି ଏବଂ ଗୋଟିଏକୁ ବିଜେପି ଦଖଲ କରିଥିଲା। ୨ଟି ବ୍ଲକ ଅଧ୍ୟକ୍ଷ ଆସନ ମଧ୍ୟରୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପଦକୁ ମଧ୍ୟ ବିଜେପି ଦଖଲ କରିଥିଲା।

ଖାସକରି ପଞ୍ଚାୟତ ନିର୍ବାଚନ ଫଳାଫଳ ଶୋଇ ରହିଥିବା ବିଜେପି ମଧ୍ୟରେ ଶତ ସିଂହର ବଳ ଆଣି ଦେଇଛି । ଆକ୍ଟିଭ ମୋଡକୁ ବିଜେପିର କର୍ମୀ ଆସିବା ପରେ ବିଜେଡି ପାଇଁ ଅଡୁଆ ବଢିଛି । ଏହାଛଡା ସିପିଆଇ ନେତା କୃଷ୍ଣଚନ୍ଦ୍ର ନାୟକ ବିଜେପିରେ ସାମିଲ ହେବା ପରେ ଦଳର ବଳ ଆହୁରି ବଢିଥିଲା । କିନ୍ତୁ କିନ୍ତୁ ୨୦୧୬ ସେପ୍ଟେମ୍ବର ୧୬ରେ ସଂଗଠିତ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡରେ କୃଷ୍ଣଙ୍କ ସମ୍ପୃକ୍ତି ବିଜେପକୁ ଅଡୁଆ ସ୍ଥିତିରେ ପକାଇଛି। କୃଷ୍ଣ ଏବେ ଜେଲରେ ଥିବା ବେଳେ ବିଜେପିର ଦୁଇ ରାଜ୍ୟସ୍ତରୀୟ ନେତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲିଛି। ଏହା କେବଳ ଛତ୍ରପୁର ବିଧାନସଭା କ୍ଷେତ୍ରରେ ନୁହଁ, ଗଞ୍ଜାମ ଜିଲ୍ଲାରେ ବିଜେପିର ଭାବମୂର୍ତ୍ତିରେ ମଧ୍ୟ ଆଞ୍ଚ ଆଣିଛି।

ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ-ବାମଦଳ ମଧ୍ୟରେ ମେଣ୍ଟ ସମ୍ଭାବନା ରହିଛି। ଯଦି ମେଣ୍ଟ ହୁଏ ତେବେ ଏହି ଆସନ ସିପିଆଇ ଭାଗରେ ହିଁ ପଡିବ ବୋଲି କୁହାଯାଉଛି। ଏହାକୁ ନେଇ ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତାମାନେ ଅସନ୍ତୁଷ୍ଟ ରହିଛନ୍ତି। ଏହି ବିଧାନସଭା ଆସନରୁ ବିଜେଡି ଓ ବିଜେପିରୁ ୩ଜଣ ଲେଖାଏଁ ଏବଂ କଂଗ୍ରେସ ଓ ସିପିଆଇରୁ ୨ଜଣ ଲେଖାଏଁ ଆଶାୟୀ ରହିଥିବା ଜଣାପଡିଛି।

ବିଜେଡିରୁ ପୁଣି ଟିକେଟ ପାଇବା ଲାଗି ବିଧାୟକ ପ୍ରିୟାଂଶୁ ପ୍ରଧାନ ଲବି ଚଳାଇଛନ୍ତି।ସେହିଭଳି ଜିଲ୍ଲା ପରିଷଦ ସଭାପତି ସୁବାସ ଚନ୍ଦ୍ର ବେହେରା ଏବଂ ଗତ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଏବଂ ବର୍ତ୍ତମାନ ବିଜେଡିର ଥିବା ବନମାଳୀ ସେଠୀ ମଧ୍ୟ ବିଜେଡି ଟିକେଟ ଲାଗି ଆଶାୟୀ ରହିଥିବା କୁହାଯାଉଛି।

ବିଜେପିରୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଧରଣୀଧର ବେହେରା, ନିକଟରେ ବିଜେପିରେ ଯୋଗ ଦେଇଥିବା ଛତ୍ରପୁର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କର ଓ ଅବସରପ୍ରାପ୍ତ ଶ୍ରମ କମିସନର ତ୍ରିନାଥ ବେହେରା ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ସିପିଆଇରୁ ପ୍ରଦୀପ ସେଠୀ ଓ ତ୍ରିନାଥ ବେହେରା ଆଶାୟୀ ରହିଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଭାଗୀରଥି ବେହେରା ଓ ଅବସରପ୍ରାପ୍ତ ସେନା କର୍ମଚାରୀ ସୁରେନ୍ଦ୍ର ସେଠୀ ଆଶାୟୀ ରହିଛନ୍ତି ।

ତେବେ ଗତ ତିନି ଦଶନ୍ଧି ଧରି ବିଧାୟକ ପରିବର୍ତ୍ତନ କରି ଆସୁଥିବା ଛତ୍ରପୁରବାସୀ ଏଥର କାହା ମୁଣ୍ଡରେ ସୁନାକଳସ ଢାଳିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।