କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ମେ’୬ରେ ଭୃଗୁ ଓ ଗୋଲକଙ୍କ ଜାମିନ ଆବେଦନର ଶୁଣାଣି

Advertisment
କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ମେ’୬ରେ ଭୃଗୁ ଓ ଗୋଲକଙ୍କ ଜାମିନ ଆବେଦନର ଶୁଣାଣି

କନକ ବ୍ୟୁରୋ: ଛତ୍ରପୁର ଏନ୍ଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ମାମଲାରେ ବିଜେପି ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର ଓ ବ୍ରହ୍ମପୁର ପ୍ରଭାରୀ ଦାୟିତ୍ବରେ ଥିବା ଗୋଲକ ମହାପାତ୍ରଙ୍କ ଆଗୁଆ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ମେ’ ୬ରେ ହେବ। ଗତକାଲି ଉଭୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ କେସ୍ ଡାଏରି ଦାଖଲ ସହିତ ତଦନ୍ତର ସାନି ସ୍ଥିତି ନେଇ ସରକାର ଅବଗତ କରିବେ।

publive-image

ଉଲ୍ଲେଖ ଯୋଗ୍ୟ ଯେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡକୁ ନେଇ ଛତ୍ରପୁର ଥାନାରେ ରୁଜୁ ମାମଲାରେ ପୁଲିସ ବିଜେପିର ଏହି ଦୁଇ ବରିଷ୍ଠ ନେତାଙ୍କୁ ନୋଟିସ୍ ଜାରି କରିଥିଲା। ଏହାପରେ ଉଭୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦୁଇଟି ପୃଥକ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ମାର୍ଚ୍ଚ ୧୨ରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହିତ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

publive-image

ମାମଲାର ବିବରଣୀରୁ ପ୍ରକାଶ ଯେ ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତଙ୍କୁ ୨୦୧୭, ସେପ୍ଟେମ୍ବର ୧୬ରେ କିଛି ଲୋକ ମିଳିତ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ସେତେବେଳେ ଏହି ହତ୍ୟାକାଣ୍ଡ ଘଟଣାର ଷଡଯନ୍ତ୍ରକାରୀ କୁହାଯାଉଥିବା ବିଜେପି ଜିଲ୍ଲା ସ˚ପାଦକ କୃଷ୍ଣଚନ୍ଦ୍ର ନାୟକଙ୍କୁ ପୁଲିସ ଗିରଫ କରିଥିଲା। ଏଥିସହିତ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ୍ ଏନ୍.ଦୁର‌୍ୟ୍ୟୋଧନ ରେଡ୍ଡି ଓ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଏହି ହତ୍ୟା ମାମଲାରେ ଗିରଫ କରିଥିଲା। କୃଷ୍ଣଚନ୍ଦ୍ର ଓ ଦୁର‌୍ୟ୍ୟୋଧନଙ୍କୁ ଗିରଫ କରାଯିବା ପରେ ଗଞ୍ଜାମ ପୁଲିସ ସେମାନଙ୍କୁ ରିମାଣ୍ତରେ ଆଣି ପଚରାଉଚୁରା କରିଥିଲା। ଏହି ମାମଲାର ତଦନ୍ତ ଜାରି ରହିଥିବାବେଳେ ପୁଲିସ୍ ଆବେଦନକାରୀଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe