କନକ ବ୍ୟୁରୋ : ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତପ୍ରଧାନଙ୍କ ହତ୍ୟା ମାମଲା ରାଜ୍ୟ ରାଜନୀତିକୁ ରୋଚକ ମୋଡକୁ ଟାଣି ଆଣିଛି । ଲକ୍ଷ୍ମୀଦତ୍ତ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ମୁହଁ ଖୋଲିବା ପରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ଚାଲିଛି । ହତ୍ୟା ଅଭିଯୁକ୍ତ କୃଷ୍ଣ ବିଜେପି ନେତା ଗୋଲକ ମହାପାତ୍ରଙ୍କ ନାଁ ନେବା ପରେ ଆଟାକିଙ୍ଗ ମୁଡକୁ ଆସିଛି ବିଜେଡି । ହତ୍ୟାକାଣ୍ଡ ପରେ ବିଜେପି ମୁଖପାତ୍ରଙ୍କ ସାହାଯ୍ୟ ନେଇଥିଲେ କୃଷ୍ଣ । ଆଉ ଏହି ମାମଲାରୁ କିଭଳି ମୁକୁଳିବେ ସେ ନେଇ ଗୋଲକଙ୍କ ସହ ଉତ୍ତରାଖଣ୍ଡରୁ ରହି ପରାମର୍ଶ କରିଥିଲେ କୃଷ୍ଣ । ଏପରିକି ହତ୍ୟାକାଣ୍ଡ ପରେ ଗୋଲକଙ୍କ ସହ ଲଗାତାର ସେ ସର୍ମ୍ପକରେ ରହିଥିଲେ ।
ଏହାରି ଭିତରେ ଗୋଲକଙ୍କୁ ଡାକି ଜେରା କରିସାରିଛି ଛତ୍ରପୁର ପୋଲିସ । ନୋଟିସ କରି ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ପରେ ମାରାଥନ ଜେରା କରି ସତ ଜାଣିବାକୁ ଚେଷ୍ଟା କରିଥିଲା । ଖାସକରି ଉଭୟଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଥିଲା, ଉତ୍ତରାଖଣ୍ଡରେ ରହିବାକୁ କିଛି ସାହାଯ୍ୟ କରିଥିଲେ କି, ଗେଷ୍ଟ ହାଉସ ଯୋଗାଡ କରିବା ପାଇଁ ଉଦ୍ୟମ କରିଥିଲେ କି, ଉଭୟଙ୍କ ମଧ୍ୟରେ କଣ ପାଇଁ କଥାବାର୍ତ୍ତା ଚାଲିଥିଲା, ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ଚେଷ୍ଟା କରିଥିଲା ପୋଲିସ । କିଛି ଘଂଟାର ଜେରା ପରେ ପୋଲିସ କହିଥିଲା ଗୋଲକ ତଦନ୍ତରେ ସାହାଯ୍ୟ କରୁଛନ୍ତି ଆଉ ଗୋଲକ ପ୍ରତିଶ୍ରୁତି ଦେଇଥିଲେ ଆଗାମୀ ଦିନରେ ମଧ୍ୟ ସେ ତଦନ୍ତରେ ସହଯୋଗ କରିବେ । ଆଉ ଏହା ପରଠାରୁ ଏକଦମ ନୀରବତା ଅବଲମ୍ବନ କରୁଛନ୍ତି ବିଜେପିର ଏହି ମୁଖପାତ୍ର ଜଣଙ୍କ ।
ଗୋଲକ ମହାପାତ୍ରଙ୍କ ଜେରା ଆଉ ହତ୍ୟାକାଣ୍ଡ ପରେ ଗୋଲକ କୃଷ୍ଣ ନାୟକଙ୍କ ସହ ସଂପର୍କରେ ରହିବା ପ୍ରସଙ୍ଗକୁ ନେଇ ଏବେ ବିଜେପି ଆସିଛି ବ୍ୟାକଫୁଟକୁ । କୃଷ୍ଣଙ୍କ ବୟାନ ପରେ ହରଡଘଣାରେ ପଡିଥିଲା ଦଳ । ଘନଘନ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେବାରେ ବ୍ୟସ୍ତ ରହୁଛନ୍ତି ବିଜେପି ନେତା । ଏବେ ପ୍ରଶ୍ନ ଉଠୁଛି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ବିଜେପି ନେତା ସହଯୋଗ କରିବା କେତେଦୁର ଯୁକ୍ତିଯୁକ୍ତ ? ଏହି ଘଟଣା ଓଡ଼ିଶାରେ ବିଜେପି ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇବ କି ? ବିଜେପି ନେତାଙ୍କ ଅପରାଧୀ ଲିଙ୍କ ଅମିତ ଶହାଙ୍କ ମିଶନ ୧୨୦ ଉପରେ କଳାବାଦଲ ଢାଙ୍କି ଦେବନି ତ? କୁହାଯାଉଛି, ଏହି ଘଟଣା ବିଜେଡି ପାଇଁ ସଂଜିବନୀ ସାବ୍ୟସ୍ତ ହୋଇଛି । କାରଣ ବିଜେପିକୁ ଘେରିବାକୁ ସୁଯୋଗ ପାଉ ନଥିବା ବେଳେ ଏଭଳି ଘଟଣା ବିଜେଡି ପାଇଁ ଏକ ଜବରଦସ୍ତ ମୁଦ୍ଦା ପାଲଟିଯାଇଛି । ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ ବିଜେପିର ଅପରାଧୀ ଲିଙ୍କକୁ ନେଇ ନୂଆ ନୂଆ ତଥ୍ୟ ରଖୁଛି ବିଜେଡି ।
ବିଜେପିର ଏଭଳି ପରିସ୍ଥିତି ଦେଖି ସୁଯୋଗ ହାତଛଡା କରିନାହିଁ ବିଜେଡି । ତୁହାକୁ ତୁହା ରାଜନୈତିକ ବାଣ ମାରି ବିଜେପିକୁ ଘାଇଲା କରୁଛି ଶାସକଦଳ । ରାଜନୀତିରେ ପଡିଥିବା ରକ୍ତର ଛିଟା ଏବେ ବିଜେପିକୁ ଟାଣି ଆଣିଛି ବିବାଦ ଘେରକୁ । ଗଞ୍ଚାମ ରାଜନୀତିରେ ବିଜେପିର ଦୁଇ ଯୁବ ଚେହେରାଙ୍କୁ ପୋଲିସ ଗିରଫ କରିବା ପରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଏହି ଘଟଣା ସାମ୍ନାକୁ ଆସିବାର କିଛି ଦିନ ପୂର୍ବରୁ ବିଜେଡିର ଅପରାଧୀ ଲିଙ୍କ ନେଇ ଗଣମାଧ୍ୟମ ସାମ୍ନାରେ ତଥ୍ୟ ରଖିଥିଲେ ନିଜେ ଗୋଲକ ମହାପାତ୍ର । ବ୍ରହ୍ମପୁରରେ ଅପରାଧୀଙ୍କୁ ବିଜେଡି ପୋଷିଛି ବୋଲି ସେ ଅଭିଯୋଗ କରିଥିଲେ । ପ୍ରମାଣ ସୂରୂପ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ବିଜେଡି ନେତାଙ୍କ ଫଟୋ ମଧ୍ୟ ଦେଖାଇଥିଲେ ଗଣମାଧ୍ୟମ ସାମ୍ନାରେ । କିନ୍ତୁ ଦିନ କେଇଟା ନ ବିତୁଣୁ ସେହି ଖାଲରେ ନିଜେ ଗୋଲକ ପଡିଛନ୍ତି । ହତ୍ୟା ଅପରାଧୀଙ୍କ ସହ ତାଙ୍କର ଲିଙ୍କ ଏବେ ସାମ୍ନାକୁ ଆସିଛି । ଗୋଲକଙ୍କ ନାଁ ଆସିବା ପରେ ଏହା ଦଳକୁ ଅଡୁଆରେ ପକାଇଛି ।
କୃ୍ଷ୍ଣ ଗୋଲକଙ୍କ ନାଁ ନେବା ପରେ ଏବେ ବିଜେପିର ନିର୍ମଳ ଭାବମୂର୍ତ୍ତି ଉପରେ ପଡିଛି କଳାଛିଟା । ଏହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ପଞ୍ଚାୟତ ନିର୍ବାଚନ ପରେ ଓଡ଼ିଶା ଦଖଲ କରିବା ପାଇଁ ଦଳ ଯେଉଁ ସ୍ୱପ୍ନ ଦେଖୁଥିଲା ସେଥିରେ ଲାଗିପାରେ ବ୍ରେକ । କାରଣ ପଞ୍ଚାୟତ ନିର୍ବାଚନର ଫଳାଫଳ ପରେ ଆଟାକିଙ୍ଗ ପୋଜିସନକୁ ଆସିଥିଲା ବିଜେପି । ପ୍ରତି ଇସ୍ୟୁରେ ଶାସକ ଦଳକୁ କଡା ଜବାବ ଦେଉଥିଲା ବିଜେପି । ଧୀରେ ଧୀରେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ମଧ୍ୟ ବଢିଥିଲା । ପରିବର୍ତ୍ତନ ହାୱାର ନାରା ଦେଇ ଲୋକଙ୍କ ନିକଟତର ହେଉଥିଲା ଦଳ । ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ବିକାଶର ଦ୍ୱାହି ଦେଇ ଆରମ୍ଭ କରିଥିଲେ ମିଶନ ୧୨୦ ଅଭିଯାନ । ଲକ୍ଷ୍ୟ ଥିଲା ଆଗାମୀ ନିର୍ବାଚନରେ ଶାସକ ବିଜେଡିକୁ ବଙ୍ଗୋପସାଗରରେ ଫୋପାଡିବା ସହ ରାଜ୍ୟକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବା ପାଇଁ ।
କିନ୍ତୁ କୃଷ୍ଣଙ୍କ ମୁହଁରେ ଗୋଲକଙ୍କ ନାଁ ଆସିବା ପରେ ଅମିତଙ୍କ ମିଶନ ୧୨୦ ଉପରେ ପଡିଛି ଲକ୍ଷ୍ମୀଦତ୍ତଙ୍କ ରକ୍ତର ଛିଟା । ଯାହା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ବିଜେଡି ଏହି ଇସ୍ୟୁକୁ ଏତେ ସହଜରେ ଛାଡିବା ଭଳି ଲାଗୁନାହିଁ । ବିଜେଡି ଏବେ ଏହି ଇସ୍ୟୁକୁ ଲୋକଙ୍କ ପାଖକୁ ନେବାକୁ ଚାହୁଁଛି । ଏହି ଇସ୍ୟୁ ଲୋକଙ୍କ ନିକଟରେ ପହଞ୍ଚାଇ ବିଜେଡି ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛି କି ବିଜେପି ହେଉଛି ଗୁଣ୍ଡାମାନଙ୍କର ଦଳ । ତେଣୁ ଏଭଳି କରି ପୁଣିଥରେ ବିଜେଡି ନିଜର ନିର୍ମଳ ଭାବମୂର୍ତ୍ତି ଫେରି ପାଇବାକୁ ଆଶା ବାନ୍ଧିଛି । ଯାହାର ପ୍ରଭାବ ସିଧାସଳଖ ଅମିତଙ୍କ ମିଶନ ୧୨୦ ଉପରେ ପଡିପାରେ । କାରଣ ମିଶନ ୧୨୦କୁ ନଜରରେ ରଖି କୃଷ୍ଣଚନ୍ଦ୍ର ନାୟକଙ୍କୁ ଦଳରେ ସାମିଲ କରିଥିଲା ବିଜେପି । କୃର୍ଷ୍ଣ ମଧ୍ୟ ପରିବର୍ତ୍ତନର ହାୱାକୁ ଦୃଷ୍ଟିରେ ରଖି ବାମଦଳର ହାତ ଛାଡି ଦକ୍ଷିଣପନ୍ଥୀ କ୍ୟାମ୍ପକୁ ଡେଇଁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିକୁ ମାତ୍ ଦେବାକୁ ଏଭଳି ଯୋଜନା ପ୍ରସ୍ତୁତ କରିଥିଲା ବିଜେପି । କିନ୍ତୁ କାଉନସିଲ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୃଷ୍ଣଙ୍କୁ ପୋଲିସ ଗିରଫ କରିବା ପରେ ଗଞ୍ଜାମରେ ଅମିତଙ୍କ ମିଶନ ୧୨୦କୁ ଲାଗିଛି ଶକ୍ତ ଧକ୍କା ।
ଗୋଟିଏ ପଟେ କୃଷ୍ଣଙ୍କ ସହ ଗୋଲକଙ୍କ ସର୍ମ୍ପକକୁ ନେଇ ବିଜେଡି ପଦ୍ମଦଳକୁ ଆଟାକ କରୁଥିବା ବେଳେ ଗୋଲକଙ୍କୁ ରକ୍ଷା କରିବାକୁ ମଇଦାନକୁ ଓହ୍ଲାଇ ଆସିଥିଲେ ଟିମ୍ ବିଜେପି । କୃଷ୍ଣଙ୍କ ସହ ଗୋଲକଙ୍କ ଯୋଗସୁତ୍ର ଘଟଣାରେ ଗଞ୍ଜାମ ଏସପି ଆଶିଷ ସିଂହଙ୍କୁ ଟାର୍ଗେଟ କରିଥିଲା ଦଳ । ଗଞ୍ଜାମ ଏସପି ଶାସକ ଦଳର ରାଜନୈତିକ ଏଜେଣ୍ଟ ବୋଲି କହିଥିଲେ ନିଜେ ଗୋଲକ ମହାପାତ୍ର । ପୁଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ଭିଡିଓ ବୟାନ ସର୍ବସାଧାରଣରେ ପ୍ରସାରଣ କରି ଏସପି ଦେଶର ନିୟମକାନୁନ ଭଙ୍ଗ କରିଛନ୍ତି । ତା ଛଡା ଯଦି ଏସପିଙ୍କର ରାଜନୀତି କରିବାର ଇଚ୍ଛା ଅଛି ତେବେ ପୋଲିସ ପୋଷାକ ଖୋଲି ରାଜନୀତି ମଇଦାନକୁ ଆସନ୍ତୁ ବୋଲି କହିଥିଲେ । ଗୋଲକଙ୍କ ବୟାନକୁ ନେଇ ବିଜେଡି କହିଥିଲା, ନିଆଁ ନଥିଲେ ଧୂଆ ବାହାରେ ନାହିଁ । ଯଦି ଗୋଲକ ବାବୁ ନିଦ୍ଦୋର୍ଷ ତେବେ ତଦନ୍ତରେ ସହଯୋଗ କରନ୍ତୁ । ଭୟଭୀତ ହୋଇ ଗଣମାଧ୍ୟମରେ ଏସପିଙ୍କୁ ଟାର୍ଗେଟ କରିବାର ମାନେ କଣ ବୋଲି ପଚାରିଥିଲା ବିଜେଡି?
ଏଠି ପ୍ରଶ୍ନ ଉଠୁଛି ରାଜନୀତି ବୟାନବାଜି ଭିତରକୁ ଏସପିଙ୍କୁ ଟଣାଯାଉଛି କଣ ପାଇଁ? ଏସପିଙ୍କୁ ଶାସକଦଳର ଏଜେଣ୍ଟ ଆଖ୍ୟା କଣ ପାଇଁ ଦିଆଯାଉଛି ଏଭଳି ପ୍ରଶ୍ନ ସ୍ୱତ୍ତପ୍ରବୃତ ଭାବେ ମନକୁ ଚାଲି ଆସୁଛି । ପୂର୍ବରୁ ଅନେକ ସମୟରେ ସିବିଆଇର କାଯ୍ୟାନୁଷ୍ଠାନ ନେଇ ବିଜେଡି ପ୍ରଶ୍ନ ଉଠାଇଛି । ଏପରିକି କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ବିଜେଡି ନେତାଙ୍କୁ ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ କରି ଗିରଫ କରାଯାଉଛି ବୋଲି ବିଜେଡି ଅଭିଯୋଗ କରିଥିଲା । ସିବିଆଇକୁ ବ୍ୟବହାର କରି ବିଜେପି ରାଜନୈତିକ ଫାଇଦା ଉଠାଇଥିବାର ଅଭିଯୋଗ ଆଣିଥିଲା ବିଜେଡି । ଏହା କହିବା ପଛରେ ମଧ୍ୟ ଯଥାର୍ଥତା ରହିଥିଲା । କାରଣ ବିଜେଡି ବିଧାୟକଙ୍କୁ ସିବିଆଇ ଗିରଫ କରିବାର କିଛି ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏଭଳି କିଛି ସଙ୍କେତ ଦେଇଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରି ବିଜେଡିକୁ ସିବିଆଇ ଭୟ ଦେଖାଇ ଯାଇଥିଲେ । ସେତେବେଳେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ସମାନ୍ତରାଳ ଭାବରେ ବିଜେପି ମଧ୍ୟ ଗଞ୍ଜାମ ଏସପିଙ୍କୁ ରାଜ୍ୟ ହାତବାରିଶି ବୋଲି କହିଛି । ଗୋଲକ ଗଞ୍ଜାମ ପ୍ରଭାରୀ ଥିବାରୁ ତାଙ୍କୁ ଚଞ୍ଚକତା କରି ଫଶାଯାଇଥିବା ବିଜେପି ଅଭିଯୋଗ କରିଛି । କାରଣ ହତ୍ୟା ଅଭିଯୁକ୍ତ କୃଷ୍ଣ ପୋଲିସ ହେପାଜତରେ ଥିବା ବେଳେ ତାର ଭିଡିଓ ବୟାନ ବାହାରକୁ କିପରି ଆସିଲା ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ତେବେ ଦୁଇ ରାଜନୈତିକ ଦଳ ଭିତରେ ଲକ୍ଷ୍ମୀଦତ୍ତଙ୍କ ହତ୍ୟାକୁ ନେଇ ଏଭଳି ଲଢେଇ କଣ ପାଇଁ । କଣ ପାଇଁ ଲକ୍ଷ୍ମୀଦତ୍ତଙ୍କ ମୃତ୍ୟୁକୁ ନେଇ ରାଜନୀତି କରାଯାଉଛି ।
ଏହାରି ଭିତରେ ସ୍ପଷ୍ଟ ଚିତ୍ର ଆସୁଛି, ଗୋଲକ ମହାପାତ୍ରଙ୍କୁ ପୋଲିସ ଜେରା କରିବା ପରେ ବିଜେପି ବ୍ୟାକଫୁଟକୁ ଆସିଛି । ପ୍ରତିଦିନ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରୁଥିବା ଗୋଲକ ଏବେ ଅସମ୍ଭବ ନୀରବତା ଅବଲମ୍ବନ କରୁଛନ୍ତି । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ପଛର କାରଣ କଣ? ଗୋଲକ ଅଧିକ ପ୍ରତିକ୍ରିୟାଶୀଳ ହେଲେ ଦଳ ପାଇଁ ବିପଦ ଥିଲା ନେତା ହୃଦୟଙ୍ଗମ କରୁଛନ୍ତି କି? ନା ଗୋଲକ ନିଜେ ଏହି ବିବାଦରେ ଆଉ ପଶିବାକୁ ଚାହୁଁନାହାନ୍ତି? ତେବେ ଗୋଲକ ଅଡୁଆ ସୁତାର ଖିଅ ଭିତରକୁ ଚାଲି ଆସିବା ଦିନଠାରୁ ଦଳ ପାଇଁ କିନ୍ତୁ ଆନେକ ଆହ୍ୱାନ ସୃଷ୍ଟି ହୋଇଥିଲା । ବିଜେପି ପାଇଁ ଏକ ଧାରଣ ତିଆରି ହୋଇଥିଲା ଯେ, ଅପରାଧୀଙ୍କୁ ଭାରତୀୟ ଜନତା ପାର୍ଟିର ନେତା ସାହାଯ୍ୟ ଯୋଗାଇ ଦେଇଥିଲେ । ଏବାବଦରେ ଗଣମାଧ୍ୟମରେ ଘନଘନ ଖବର ପ୍ରସାରିତ ହୋଇଛି ।
ଅମିତ ଶାହାଙ୍କ ମିଶନ ୧୨୦ ଆଉ ବିଜେପିର ଓଡିଶା ଦଖଲ ଯୋଜନା ଉପରେ ଏକ ବଡ ପ୍ରଶ୍ନବାଚୀ ଲଗାଇଛି ଗୋଲକ ମହାପାତ୍ର ଆଉ କୃଷ୍ଣ ନାୟକଙ୍କ ସଂପର୍କର ବିବାଦ । ପୋଲିସ ତଦନ୍ତ କରୁଛି, କୃଷ୍ଣଙ୍କ ରିମାଣ୍ଡ ଅବଧି ଏହାରି ଭିତରେ ସରିଛି ଆଉ ଗୋଲକ ମହାପାତ୍ରଙ୍କୁ ଜେରା କରିସାରିଛି ପୋଲିସ । ହେଲେ ଯେଉଁ ମିଶନ ମୋଡରେ ଦଳ କାର୍ଯ୍ୟ କରିବାକୁ ଲକ୍ଷ ରଖିଥିଲା ଆଉ ମିଶନ ୧୨୦କୁ ସାକାର କରିବା ପାଇଁ ନତୋ ଆଗକୁ ବଢିଥିଲେ, ତାହା କିଛି ମାତ୍ରାରେ ମଳିନ ପଡିଥିବା ବା ଏଥିରେ ବ୍ରେକ ଲାଗିଥିବା ନେଇ ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ । ହୁଏତ ଆଗକୁ ସ୍ଥିତି ବଦଳିପାରେ କିନ୍ତୁ ଏହି ପ୍ରସଙ୍ଗରେ ବିଜେପି ରହିଗଲା ବ୍ୟାକଫୁଟରେ ।