କନକ ବ୍ୟୁରୋ: ଅର୍ଥ ଅଭାବରୁ ଡାକ୍ତରୀପାଠ ପଢ଼ିପାରୁନଥିବା ବରଗଡ଼ ମାନପୁର ଗାଁର ଛତ୍ରପତି ପ୍ରଧାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛି, ସ୍ୱେଚ୍ଛାସେବୀ ସଂସ୍ଥା ‘ଅତୁଟ ବନ୍ଧନ’ । ସରକାରୀ ମେଡିକାଲରେ ପାଠ ପଢୁଥିବା ଅଭାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଥିବା ଏହି ସଂସ୍ଥା, କନକ ନ୍ୟୁଜ୍ ଜରିଆରେ ଛାତ୍ରପତିଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ ଜାଣିଥିଲେ । ଆଉ ଏହା ପରେ ଛତ୍ରପତିଙ୍କ ନିକଟରେ ପହଂଚିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅର୍ଥାଭାବରୁ ଅଧାରେ ରହିଯାଇଥିଲା ଛତ୍ରପତିଙ୍କ ବିଡିଏସ୍ ପାଠ । ଏବେ ଏମବିବିଏସ୍ ପାଠ ପଢ଼ିବାକୁ ଯୋଗ୍ୟ ବିଚେଚିତ ହୋଇଥିଲେ ସୁଦ୍ଧା, ଅର୍ଥ ପୈଠ ହୋଇପାରୁନି । ଏଭଳି ସମୟରେ ‘ଅତୁଟ ବନ୍ଧନ’ ପକ୍ଷରୁ ୨ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରାଯାଇଛି ।

Advertisment

ବରଗଡ଼ ଜିଲ୍ଲା ମାନପୁର ଗାଁରେ ଛତ୍ରପତିଙ୍କ ଘର । ଗାଁ ସ୍କୁଲ ନିକଟରେ ତାଙ୍କ ମା’ ପଦ୍ମାବତୀ ପ୍ରଧାନ ଏକ ଜଳଖିଆ ଦୋକାନ କରି ପିଲାଙ୍କୁ ମଣିଷ କରିଛନ୍ତି । ରହିବାକୁ ଘର ନାହିଁ, ଦୋକାନ କଡ଼ରେ ଥିବା କ୍ୟାବିନରେ ପରିବାର ଲୋକଙ୍କୁ ମୁଣ୍ଡଗେଞ୍ଜିବାକୁ ହୁଏ । ପଦ୍ମାବତୀଙ୍କ ପୁଅ ଛତ୍ରପତି, ଡାକ୍ତରୀ ପାଠ ପଢ଼ିବା ପାଇଁ ଦୁଇ ଦୁଇ ଥର ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । କଟକ ଏସସିବି ମେଡ଼ିକାଲରେ ବିଡିଏସ୍ ପାଠ୍ୟକ୍ରମରେ ଆଡମିସନ୍ ମଧ୍ୟ କରିଥିଲେ । ଏବେ ଏମବିବିଏସ୍ ନାମ ଲେଖା ପାଇଁ ପ୍ରବେଶିକାରେ ଉତୀର୍ଣ୍ଣ ହୋଇଛନ୍ତି । ହେଲେ ଟଙ୍କାନଥିବାରୁ ଏସସିବିରୁ କ୍ରିୟରେନ୍ସ ଆଣି ପାରୁନାହାଁନ୍ତି କି’ ଏମବିଏସଏସରେ ନାମ ଲେଖାଇପାରିବେ ନା ନାହିଁ, ଦ୍ୱନ୍ଦ୍ୱରେ ଅଛନ୍ତି ।

ଛତ୍ରପତିଙ୍କ ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଯାହା, ସେଥିରେ ବିନା ସହାୟତାରେ ସ୍ୱପ୍ନ ପୂରଣ କରିବା ପ୍ରାୟ ଅସମ୍ଭବ । ଏଭଳି ସ୍ଥିତିରେ ଛତ୍ରପତିଙ୍କୁ ଯୋଗାଯୋଗ କରିଛି, ଅତୁଟ ବନ୍ଧନ ।