ଛତିଶଗଡ କୋଲାବ ଡ୍ୟାମରେ ଅଟକିଛି ମହାନଦୀ ପାଣି: ଉପରମୁଣ୍ଡରେ ଉଛୁଳୁଛି ପାଣି, ଶୁଖିଲା ପଡିଛି ଓଡିଶା ପଟ
ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଜେଡି କହିଲା, ଜଳ ବିବାଦର ସମାଧାନ ଜରୁରୀ
କନକ ବ୍ୟୁରୋ: ମହାନଦୀ ଜଳ ବିବାଦକୁ ନେଇ ଓଡିଶାରେ ବେଶ ହୋହଲ୍ଲା । ବ୍ୟାରେଜ କରି ମହାନଦୀ ପାଣିକୁ ଅଟକାଇ ଦେଇଛି ଛତିଶଗଡ । ଏହାକୁ ନେଇ ଓଡିଶାରୁ ଦିଲ୍ଲୀ ସବୁଠି ତମ୍ବି ତୋଫାନ ହେବା ପରେ ବି ଏଥିରେ ବିଶେଷ କିଛି ପରିବର୍ତ୍ତନ ଆସିନାହିଁ । ଏଯାଏଁ କୌଣସି ସମାଧାନ ହୋଇ ପାରୁନାହିଁ । ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧୀ କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଛତିଶଗଡ ମହାନଦୀ ଉପରେ ଛୋଟ ବଡ କରି ୧୦୦ରୁ ଅଧିକ ଡ୍ୟାମ୍ ଓ ବ୍ୟାରେଜ୍ କରି ସାରିଛି । ହେଲେ ରାଜ୍ୟ ଏବେ ବି ଚୁପ୍ ବସିଛନ୍ତି । ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ମହାନଦୀ ବିବାଦର ସମାଧାନ କେନ୍ଦ୍ର ସରକାର ଉଭୟ ରାଜ୍ୟକୁ ଆବଶ୍ୟକୀୟ କାଗଜପତ୍ର ଯୋଗାଇ ପାରୁନଥିବାରୁ ଏହି ବିବାଦର କୌଣସି ସମାଧାନ ହୋଇ ପାରୁନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି । ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା କରି ଜଳ ବିବାଦର ଅନ୍ତ କରିବା ଆବଶ୍ୟକ । ନହେଲେ ମହାନଦୀ ଉପରେ ନିର୍ଭର କରୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଛତିଶଗଡରେ ମହାନଦୀ ଉପରେ ବନ୍ଧା ଯାଇଥିବା କଲମା ବ୍ୟାରେଜ ଯୋଗୁଁ ଓଡିଶାରେ ଶୁଖିଲା ପଡିଛି ମହାନଦୀ । ଗୋଟିଏ ପଟେ ଭରପୁର ପାଣି ଓ ଅନ୍ୟପଟେ ଶୁଖିଲା ମହାନଦୀ ।
କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି । ଯଦି ମୌସୁମୀ ଠିକ ସମୟରେ ଆସିବ ନାହିଁ, ତେବେ ହୀରାକୁଦ ଜଳଭଣ୍ଡାର ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମହାନଦୀ ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀ ଓ ଚାଷୀ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କହିଛନ୍ତି ।