କନକ ବ୍ୟୁରୋ : ଛତିଶଗଡରେ କଂଗ୍ରେସକୁ ହରାଇ ବିଜେପି ସଂଖ୍ୟାଗରିଷ୍ଠାତା ହାସଲ କରିଛି । ନିର୍ବାଚନ ଫଳାଫଳ ଆସିବା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ନାମକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିଲା । ହେଲେ ଆଜି ବିଜେପି ନେତ୍ରୀ ରେଣୁକା ସିଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରି ୩୦ ମିନିଟ କାଳ ଆଲୋଚନା କରିବା ପରେ ରେଣୁକା ସିଂ ଏବେ ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠାରୁ ଆଗରେ ରହିଛନ୍ତି ।

Advertisment

ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୪ ଦିନ ମଧ୍ୟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନଥିବାରୁ ଏହାକୁ ନେଇ ବିରୋଧୀ କଂଗ୍ରେସ କଟାକ୍ଷ କରିବା ଆରମ୍ଭ କରିଦେଇଛି   । କେବଳ ରେଣୁକା ସିଂ ନୁହଁନ୍ତି କି ରମଣ ସିଂ ନୁହଁନ୍ତି ମୁଖ୍ୟମନ୍ତ୍ରୀ ଦୌଡରେ ଛତିଶଗଡ ବିଜେପି ଅଧ୍ୟକ୍ଷ ଅରୁଣ ସାଓ ମଧ୍ୟ ରହିଛନ୍ତି । ଯଦି ବିଜେପି ରେଣୁକା ସିଂଙ୍କ ନାମରେ ମୋହର ମାରନ୍ତି ତେବେ ସେ ଛତିଶଗଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ।

ରେଣୁକା ସିଂଙ୍କୁ ଛତିଶଗଡରେ ବଡ ଆଦିବାସୀ ଚେହେରା ବୋଲି ଗଣନା କରାଯାଏ । ସେ କଂଗ୍ରେସ ପ୍ରାର୍ଥୀ ଗୁଲାବ କମରୋଙ୍କୁ ଭରତପୁର ସୋନହତ ଆସନରେ ପରାଜିତ କରିଛନ୍ତି । ତାଙ୍କ ରାଜନୈତିକ ଜୀବନକୁ ନେଇ ଯଦି ଆଲୋଚନା କରିବା ତେବେ ସେ ୧୯୯୯ ମସିହାରେ ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିଲେ । ହେଲେ ୪ବର୍ଷ ପରେ ଅର୍ଥାତ ୨୦୦୪ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୯ ରେ ବିଜେପି ତାଙ୍କ ଉପରେ ଭରସା କରି ତାଙ୍କୁ ସାଂସଦ ଟିକେଟ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ । ଏହାପରେ ବିଜେପି ତାଙ୍କୁ କେନ୍ଦ୍ରର ଜନଜାତୀୟ ବିଭାଗର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲା ।