ଆଜି ପୁରୀରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ : ଜଗମୋହନ ଖୋଲିବା ତାରିଖ ଓ ସେବାୟତଙ୍କ ରଥ ପାଉଣା ମୁଖ୍ୟ ପ୍ରସଙ୍ଗ

20

କନକ ବ୍ୟୁରୋ : ଆଜି ପୁରୀରେ ବସିବ ଛତିଶା ନିଯୋଗ ବୈଠକ । ହାଇକୋର୍ଟ ଶ୍ରୀମନ୍ଦିର ଜଗମୋହନ ଖୋଲାଯିବା ଓ ଗର୍ଭଗୃହ ପ୍ରବେଶ ଉପରେ କଟକଣା ଜାରି କରିବା ପରେ ଛତିଶା ନିଯୋଗ ବୈଠକ ତାରିଖରେ ପରିବର୍ତ୍ତନ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ବୈଠକ ପାଇଁ ଏପ୍ରିଲ ୧୬ ତାରିଖ ଚୂଡାନ୍ତ ହୋଇଥିବା ବେଳେ ଏହା ଏପ୍ରିଲ ୧୨ ଅର୍ଥାତ ଆଜିକୁ ପରିବର୍ତ୍ତନ କରାଯାଇଛି । ଏ ନେଇ ଗର୍ଭଗୃହ ଦାୟିତ୍ୱରେ ଥିବା ପୂଜାପଣ୍ଡା ନିଯୋଗ, ପୁଷ୍ପାଳକ ନିଯୋଗ, ପ୍ରତିହାରୀ ନିଯୋଗ ଓ ମହାଜନ ନିଯୋଗକୁ ନେଇ ଗତକାଲି ସନ୍ଧ୍ୟାରେ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁପ୍ତ ଭାବେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ହାଇକୋର୍ଟଙ୍କ ଆଦେଶ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି । ତେବେ ଆଜି ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଜଗମୋହନ ଖୋଲିବା ତାରିଖ ଓ ସେବାୟତଙ୍କ ରଥପାଉଣା ମୁଖ୍ୟ ପ୍ରସଙ୍ଗ ହୋଇପାରେ ବୋଲି ଆଶା କରାଯାଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସାହାଣମେଲା ଓ ପାରିମାଣିକ ଦର୍ଶନ ବନ୍ଦ ହେବା ସମ୍ଭାବନା ଥିବାରୁ ଏ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇପାରେ ।