ପରଦାକୁ ଆସିବ ‘ଛବିରାଣୀ ଦ ଅନଟୋଲ୍ଡ ଷ୍ଟୋରୀ’ । ଲୋମହର୍ଷଣକାରୀ ‘ଛବିରାଣୀ’ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣା ଉପରେ ନିର୍ମାଣ ହେଉଛି ଫିଲ୍ମ ।

103

କନକ ବ୍ୟୁରୋ: ଓଡ଼ିଶା ଇତିହାସରେ ଘଟିଥିବା ୮୦ ଦଶକର ଲୋମହର୍ଷଣକାରୀ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଉପରେ ନିର୍ମାଣ ହେଉଛି ଓଡ଼ିଆ ସିନେମା । ତେବେ ଏହି ଓଡ଼ିଆ ଫିଲ୍ମର ଟାଇଟଲ ‘ଛବିରାଣୀ ଦ ଅନ୍ଟୋଲ୍ଡ ଷ୍ଟୋରି’ ରର୍ଖାଯାଇଥିବା ସୂଚନା ମିଳିଛି। ତେବେ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଅମନ ପରାଶର, ଅଭିନେତ୍ରୀ ଚନ୍ଦ୍ରାଣୀ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ଏବଂ ରକ୍ ପାତ୍ର ଭଳି ନାମିଦାମୀ କଳାକାର ।

ଅନ୍ୟପଟେ ଏହାର ଶୁଭ ମହୁରତ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଛବିରାଣୀ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବବି ଇସଲାମ । ଏହାସହ ବିଜୟ ମଲ୍ଲ ଏହାର ସଂଳାପ ଲେଖକ । ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିବାବେଳେ ଆସନ୍ତା ନଭେମ୍ବର ପହିଲାରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ତେବେ ୮୦ ଦଶକର ଏହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାକୁ ଚଳଚିତ୍ର ତଥା କାଳ୍ପନିକ କାହାଣୀ ଜରିଆରେ ପ୍ରଦର୍ଶିତ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ଫିଲ୍ମ ନିର୍ମାତା ।

ତେବେ ପୂର୍ବରୁ ବହୁର୍ଚ୍ଚିତ ସାରଥୀ ବାବାଙ୍କ ଉପରେ ରଙ୍ଗୀଲା ବାବା ସିନେମା ତିଆରି ହୋଇଥିଲା। ଠିକ୍ ସେହିପରି ପପୁ ପମପମଙ୍କ ଉପରେ ‘ଭାଇନା କ’ଣ କଲା ସେ’ ସିନେମା ତିଆରି ହୋଇଥିଲା । ଏହି ଲୋମହର୍ଷଣକାରୀ ‘ଛବିରାଣୀ’ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଫିଲ୍ମଟିକୁ ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖରେ ରିଲିଜ୍ କରିବା ଲକ୍ଷ୍ୟରେ ରହିଛନ୍ତି ଫିଲ୍ମ ନିର୍ଦ୍ଦେଶକ ।