କନକ ବ୍ୟୁରୋ : ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଆଜି ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀର ଫିରୋଜ ଶାହ କୋଟଲାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ନାଗପୁରରେ ଏକତରଫା ବିଜୟ ପରେ ଦିଲ୍ଲୀରେ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ତେବେ ଆହତ ସମସ୍ୟା ଏବଂ ଭାରତୀୟ ସ୍ପିନରଙ୍କୁ ଖେଳିବାର ଦୁର୍ବଳତା ଭିତରେ ସଂଘର୍ଷ କରୁଥିବା ପ୍ୟାଟ୍ କମିନ୍ସଙ୍କ କଙ୍ଗାରୁ ଦଳ କିନ୍ତୁ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରିବା ଆଶାରେ ରହିଛି ।

Advertisment

ନୂଆଦିଲ୍ଲୀରେ ୨୦୧୭ରେ ଶେଷ ଥର ପାଇଁ ଏକ ଟେଷ୍ଟ ଖେଳାଯାଇଥିବା ବେଳେ ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ୧୦୦ରୁ ଉର୍ଦ୍ଧ୍ୱ ଓଭର ବ୍ୟାଟିଂ କରିଦେବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା । ଅଷ୍ଟ୍ରେଲିଆ କିନ୍ତୁ ଏଠାରେ ୨୦୧୩ରେ ଶେଷ ଟେଷ୍ଟ୍ ଖେଳିଥିଲା । ରବିଚନ୍ଦ୍ରନ ଅଶ୍ୱିନ୍ ଏବଂ ରବୀନ୍ଦ୍ର ଜାଦେଜା ମିଳିତ ଭାବେ ୧୪ ୱିକେଟ୍ ନେଇଥିଲେ । ଏବେ ପୁଣି ଥରେ ଏହି ସ୍ପିନ୍ ଯୋଡିଙ୍କ ଉପରେ ମଧ୍ୟ ଭାରତ ଭରସା କରି ପଡ଼ିଆକୁ ଓହ୍ଲାଇବ । ୨୦୧୩ରେ ଖେଳାଯାଇଥିବା ମୁକାବିଲାରେ ଅଷ୍ଟ୍ରେଲିଆର ନାଥନ୍ ଲାୟନ ୯୪ ରନ୍ ଦେଇ ୭ ୱିକେଟ୍ ନେଇଥିଲେ । ତେଣୁ ଏଥର ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ ।

ସେହିପରି ନାଗପୁରରେ ଡେବ୍ୟୁ ମ୍ୟାଚରେ ୭ ୱିକେଟ୍ ନେଇଥିଲେ ଅଫ୍ ସ୍ପିନର ଟଡ୍ ମର୍ଫି । ଆଜିର ମ୍ୟାଚରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବା ଆଶା ରଖିବ କଙ୍ଗାରୁ ଦଳ । ଏହା ସହ ଆଜି ଶତକୀୟ ଟେଷ୍ଟ ଖେଳିବେ ଚେତେଶ୍ୱର ପୂଜାରା । ତେଣୁ ପୂଜାରାଙ୍କ ବ୍ୟାଟିଂ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ । ୨୦୧୦ ଅକ୍ଟୋବରରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ପୂଜାରା ୧୩ ବର୍ଷ ମଧ୍ୟରେ ଏହି ମାଇଲଖୁଣ୍ଟରେ ପହଞ୍ଚି ପାରିଛନ୍ତି । ଟେଷ୍ଟରେ ପୂଜାରା ୯୯ ମ୍ୟାଚ୍ରେ ୧୫ ହଜାର ୭୯୭ ବଲ ଖେଳିଛନ୍ତି । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଖେଳୁଥିବା ଏହି ବ୍ୟାଟସମ୍ୟାନ ବିଗତ ୨ ବର୍ଷ ହେବ ଭାରତ ମାଟିରେ ଭଲ କରିନାହାନ୍ତି ।

ଭାରତ ସମ୍ଭାବ୍ୟ ୧୧ : ରୋହିତ ଶର୍ମା, କେଏଲ୍ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, କେଏସ୍ ଭରତ (ୱିକେଟରକ୍ଷକ), ଆର୍ ଅଶ୍ବିନ, ଅକ୍ଷର ପଟେଲ୍‌, ମହମ୍ମଦ ସାମି, ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ୧୧ : ଡେଭିଡ୍ ୱାର୍ଣ୍ଣର, ଉସମାନ ଖୱାଜା, ମାର୍ନସ ଲବୁସାନ୍‌, ଷ୍ଟିଭେନ୍ ସ୍ମିଥ୍‌, ପିଟର୍ ହ୍ୟାଣ୍ଡସ୍କମ୍ବ, ମ୍ୟାଟ୍ ରେନସା/କାମେରନ୍ ଗ୍ରିନ୍‌, ଆଲେକ୍ସ କ୍ୟାରି (‌ୱିକେଟ୍‌ରକ୍ଷକ), ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ୍ ଷ୍ଟାର୍କ, ଟଡ୍ ମର୍ଫି, ନାଥନ୍ ଲାୟନ୍।