ସୁନା ପୁଅଙ୍କ ଉପରେ ଉପହାର ବର୍ଷା । ନୀରଜଙ୍କୁ କୋଟିଏ ଟଙ୍କା ଦେଲା ଧୋନୀଙ୍କ ଟିମ୍ । 

314

କନକ ବ୍ୟୁରୋ : ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ବା କିଏ ନ ଜାଣିଛି । ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ନୀରଜ ରାତାରାତି ଭାରତର ସୁନା ପୁଅ ପାଲଟିଯାଇଥିଲେ । ନୀରଜଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା, ଉପହାରର ବର୍ଷା ହୋଇଥିଲା । ଯାହା ଏବେ ବି ଜାରି ରହିଛି । ପୂର୍ବ ଘୋଷଣା ଅନୁଯାୟୀ, ଏବେ ନୀରଜଙ୍କୁ ଏକ କୋଟି ଟଙ୍କା ଦେଇଛି ଧୋନୀଙ୍କ ଟିମ୍ । ଚଳିତ ଆଇପିଏଲରେ ଚାମ୍ପିୟନ ହୋଇଥିବା ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ନୀରଜଙ୍କୁ  କୋଟିଏ ଟଙ୍କା ଦେଇଛି । ଟ୍ୱିଟରରେ ନୀରଜଙ୍କ ସହ ଏକ ଫଟୋ ସେୟାର କରି ଏ ବାବଦରେ ସୂଚନା ଦେଇଛି ଚେନ୍ନାଇ ସୁପର କିଙ୍ଗସ । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲା ଚେନ୍ନାଇ ।

କେବଳ ଏକ କୋଟି ଟଙ୍କା ଦେଇନାହିଁ ବରଂ ଏକ ସ୍ପେଶାଲ  ଜର୍ସି ମଧ୍ୟ ନୀରଜ ଚୋପ୍ରାଙ୍କୁ ଦେଇଛି ଚେନ୍ନାଇ । ଯେଉଁ ଜର୍ସିରେ ୮୭୫୮ ପ୍ରିଣ୍ଟ ରହିଛି । ନୀରଜ ଚୋପ୍ରା ୮୭.୫୮ ମିଟର ଦୂର ପର୍ଯ୍ୟନ୍ତ ଜାଭେଲିନ ପକାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଯେଉଁଥିପାଇଁ ଏହି ନମ୍ବର ଥିବା ଏକ ଜର୍ସି ନୀରଜଙ୍କୁ ଦେଇଛି ଚେନ୍ନାଇ ।

ଚେନ୍ନାଇ ପକ୍ଷରୁ ନୀରଜଙ୍କୁ କୋଟିଏ ଟଙ୍କା ମିଳିଥିବା ବେଳେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଏକ ଏକ୍ସୟୁଭି ୭୦୦ ଗାଡି ଗିଫ୍ଟ ଦିଆଯାଇଛି । ଉପହାରରେ ଗାଡି ପାଇବା ପରେ ଏନେଇ ଟ୍ୱିଟ୍ କରି ଫଟୋ ସେୟାର କରିଛନ୍ତି ନୀରଜ । ଖୁବଶୀଘ୍ର ଏହାକୁ ଚଲାଇବି ବୋଲି କହିବା ସହ ସୁନ୍ଦର ଗାଡି ପାଇଁ ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀରଜ । ୮୭୫୮ ସ୍ପେଶାଲ ନମ୍ବର ଥିବା ଏକ୍ସୟୁଭି ଗାଡି ନୀରଜଙ୍କୁ ଦିଆଯାଇଛି । ଏହି ସ୍ପେଶାଲ ନମ୍ବର ପଛରେ ନୀରଜଙ୍କ ଅଲିମ୍ପିକ୍ସ ସଫଳତା ଲୁଚି ରହିଛି । କାରଣ ୮୭.୫୮ ମିଟର ଦୂରତା ଯାଏଁ ଜାଭେଲିନ ପକାଇ ଅଲମ୍ପିକ୍ସରେ ସୁନା ପଦକ ହାତେଇଥିଲେ ନୀରଜ । କମ୍ପାନି ପକ୍ଷରୁ ନୀରଜଙ୍କୁ କଳାରଙ୍ଗର ଗାଡି ଦିଆଯାଇଥିବା ବେଳେ ସ୍ପେଶାଲ ପେଣ୍ଟିଂ ମଧ୍ୟ କରାଯାଇଛି । ନୀରଜ ଜାଭେଲିନ ଥ୍ରୋ କରୁଥିବାର ପେଣ୍ଟିଂକୁ ଏହି ଗାଡିରେ ସ୍ଥାନ ଦିଆଯାଇଛି । ନୀରଜଙ୍କ ଟ୍ୱିଟକୁ ରି ଟ୍ୱିଟ୍ କରିବା ସହ ଆନନ୍ଦ ମହିନ୍ଦ୍ରା କହିଛନ୍ତି, ପୂରା ଦେଶକୁ ତୁମେ ଗର୍ବିତ କରିଛି । ଆଶା କରୁଛୁ ଏହି ଏକ୍ସୟୁଭି ଗାଡି ଆମ ଚାମ୍ପିୟନ ଖେଳାଳୀଙ୍କ ରଥ ସାଜିବ ଓ ଗର୍ବିତ କରିବ ।

କେବଳ ନୀରଜ ନୁହଁନ୍ତି ବରଂ ଜାଭେଲିନ ଖେଳାଳୀ ସୁମିତ ଅନ୍ତିଲଙ୍କୁ ମଧ୍ୟ ଏକ୍ସୟୁଭି ଗାଡି ପ୍ରଦାନ କରିଛି ମହିନ୍ଦ୍ରା କମ୍ପାନି । ପାରା ଅଲିମ୍ପିକ୍ସରେ ସୁମିତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଯାହାର ଫଟୋ ଟ୍ୱିଟରରେ ସେୟାର କରିଥିଲେ ସୁମିତ । ସେହିଭଳି ଚଳିତବର୍ଷ ଖେଳରତ୍ନ ପୁରସ୍କାର ପାଇଁ ନୀରଜଙ୍କ ସମେତ ୧୧ ଜଣ ଖେଳାଳୀଙ୍କ ନାଁ ସୁପାରିଶ କରାଯାଇଛି । ଯେଉଁଥିରେ ସୁମିତ ଅନ୍ତିଲଙ୍କ ନାଁ ମଧ୍ୟ ରହିଛି । ଯାହା ଉଭୟ ଖେଳାଳୀଙ୍କୁ ଡବଲ ଖୁସି ଆଣି ଦେଇଛି ।