ରବିବାର ଚେନ୍ନାଇ–ଗୁଜରାଟ ଟକ୍କର। ପ୍ରତିଶୋଧ ଲକ୍ଷ୍ୟରେ ଟାଇଟନ୍ସ ଦଳ

257

କନକ ବ୍ୟୁରୋ: ୨୦୨୩ ଆଇପିଏଲ ଫାଇନାଲ ମ୍ୟାଚ୍ ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ୪ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଡିଫେଣ୍ଡିଙ୍ଗ୍ ଚାମ୍ପିୟନ ଗୁଜରାଟ ଟାଇଟନ୍ସ । କୁଲ କ୍ୟାପଟେନ୍ ଧୋନୀଙ୍କ ରଣନୀତିକୁ ଟକ୍କର ଦେବେ ଫର୍ମରେ ଥିବା ଯୁବ ବ୍ୟାଟର ଶୁଭମନ ଗିଲ୍ । ଗୁଜରାଟ ସବୁଠୁ ଅଧିକ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଥିଲା । ତେବେ ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ଚେନ୍ନାଇଠାରୁ ହାରିଯାଇଥିଲା ଗୁଜରାଟ ଟାଇଟାନ୍ସ । ଫାଇନାଲ ମ୍ୟାଚରେ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ।

ଉଭୟ ଚେନ୍ନାଇ ଓ ଗୁଜରାଟ ଟିମର ବ୍ୟାଟିଂ ଲାଇନ୍-ଅପ୍ ଭଲ ଅଛି । ତେବେ ଫାଇନାଲ ମ୍ୟାଚରେ ଟସ୍ ଉପରେ ରହିବ ସମସ୍ତଙ୍କ ନଜର । ହେଲେ ଗୁଜରାଟ ପାଖରେ ଶୁଭମନ ଗିଲ, ରସିଦ୍ ଖାନ ଭଳି ଖେଳାଳି ଅଛନ୍ତି, ଯିଏ ମ୍ୟାଚ ବଦଳାଇଦେବାର କ୍ଷମତା ରଖନ୍ତି । ଶୁଭମନ ଗିଲ ଚଳିତ ଆଇପିଲରେ ୧୫୦ ଷ୍ଟ୍ରାଇକ ରେଟ ସହ ସର୍ବଧିକ ୮୫୧ ରନ କରିସାରିଲେଣି । ଯେଉଁଥିରେ ୩ଟି ବିସ୍ଫୋରକ ଶତକ ରହିଛି । ତେଣୁ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ଅଲରାଉଣ୍ଡର ରସିଦ ଖାନ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପଦର୍ଶନ ଜାରି ରଖିଛନ୍ତି । ଏହି ଦୁଇ ଖେଳାଳୀ ମୁଖ୍ୟତଃ ଚେନ୍ନାଇ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି । ସେପଟେ ଚେନ୍ନାଇର ଓପନର ଡେଭିଡ୍ କନୱେ ଓ ଋତୁରାଜ ଗାୟକ୍ୱାଡ୍ ମଧ୍ୟ ଫର୍ମରେ ଅଛନ୍ତି । ଶେଷରେ ପାଳି ସମ୍ଭାଳିବା ପାଇଁ ଧୋନୀ ଓ ଜାଡେଜାଙ୍କ ଭଳି ଅନୁଭବୀ ଖେଳାଳୀ ମଧ୍ୟ ରହିଛନ୍ତି । ତେଣୁ ଦର୍ଶକ ଏକ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି ।

ଫାଇନାଲ ମ୍ୟାଚରେ ଏକ ଲକ୍ଷ ତିରିଶ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ତେଣୁ ଉଭୟ ଦଳର ଖେଳାଳୀଙ୍କ ଉପରେ ଚାପ ରହିବା ସ୍ୱଭାବିକ୍ । ହେଲେ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟାନ୍ସ ପୁଣିଥରେ ଆଇପିଏଲ୍ ଚାମ୍ପିୟନ ହେବ ନାଁ ଧୋନୀ ବାହିନୀ ଟ୍ରଫି ହାତେଇବ ତାହା ରବିବାର ସ୍ପଷ୍ଟ ହୋଇଯିବ ।