ଚେନ୍ନାଇରେ ତାଳି , କାନପୁରରେ ଗାଳି : କେଉଁଠି ମିଳୁଛି ସମ୍ମାନ ତ ଆଉ କେଉଁଠି ଅସମ୍ମାନ । ୨ ଟି ସ୍ଥାନରୁ ଆସିଲା କରୋନା ଯୋଦ୍ଧାଙ୍କ ନିନ୍ଦା/ପ୍ରଶଂସାର ୨ଟି ଝଲକ । 

261

କରୋନା ମହାମାରୀ ସଙ୍ଗେ ମୁକାବିଲା କରିବା ପାଇଁ ସରକାର ନିୟମାବଳୀ କଲେ । ଲକଡ଼ାଉନ୍ , ସଟଡ଼ାଉନନ୍ ଭଳି ବିଭିନ୍ନ ଉପାୟ ଆପଣାଗଲା । ଭୁତାଣୁ ଭୟରେ ସାଧାରଣ ଲୋକ, କର୍ମଚାରୀ ଅନେକ ଘରେ ରହିବାକୁ ବାଧ୍ୟ ହେଲେ । କିଛି କର୍ମଚାରୀ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ଦେଶ/ରାଜ୍ୟ ପାଇଁ କାମ କରି କରୋନା ଯୋଦ୍ଧା ପାଲଟିଲେ । ହେଲେ ଏହି ସମୟରେ ଅହରହ ଖରାବର୍ଷାରେ ଠିଆ ହୋଇ କାମରୁ ବିରତି ନନେଇ ଲୋକଙ୍କୁ ସତର୍କ କରାଉଥିବା ପୁଲିସ୍ କର୍ମଚାରୀଙ୍କ ଅବଦାନକୁ ଦେଶ କେବେବି ଭୁଲିପାରିବନି । ହେଲେ କିଛି ସ୍ଥାନରେ ଏହି ଯୋଦ୍ଧାମାନଙ୍କୁ ଲୋକଙ୍କ ଅଭଦ୍ରାମିର ବି ଶିକାର ହେବାକୁ ପଡ଼ୁଛି ।

ଏବେ ଏହି ଖବରକୁ ହିଁ ଦେଖନ୍ତୁ , କରୋନା ମୁକାବିଲା ସମୟରେ କାନପୁର କୋତବାଲିରେ ପୋଲିସର ଜୋରଦାର୍ ଚେକିଂ ଚାଲିଥିଲା । ଏହି ସମୟରେ ଜଣେ ମହିଳାଙ୍କୁ ବିନା ମାସ୍କରେ ଦେଖିବା ପରେ ପୋଲିସକର୍ମୀ ତାଙ୍କ ଗାଡ଼ିକୁ ଅଟକାଇଥିଲେ । ହେଲେ ମହିଳା ନିଜ ଭୁଲକୁ ସ୍ୱୀକାରିବା ବଦଳରେ ପୋଲିସ୍ ଉପରକୁ ହିଁ ବାକ୍ୟବାଣ ପ୍ରହାର କରିଥିଲେ ।

ଯୁକ୍ତିତର୍କ ଭିତରେ ମହିଳା ଜଣକ ପୋଲିସ୍ କର୍ମୀଙ୍କୁ କହିଲେ , ତୁମଭଳି ପୋଲିସ୍ କର୍ମଚାରୀଙ୍କୁ ହିଁ ବିକାସ ଦୁବେ ମାରୁଥିଲା । ମହିଳାଙ୍କ ଏଭଳି ବ୍ୟବହାର ଏବଂ ଯୁକ୍ତିତର୍କ ସିଓଙ୍କ କାନରେ ପଡ଼ିବା ପରେ ସେ ଉକ୍ତ ସ୍ଥାନକୁ ଆସି ମହିଳାଙ୍କୁ ବୁଝାସୁଝା କରିଥିଲେ ଏବଂ କୋଭିଡ଼୍-୧୯ ନିୟମକୁ ମାନିବାକୁ ଅନୁରୋଧ କରିଥିଲେ । ସିଓଙ୍କ କହିବାପରେ ମହିଳା ପୋଲିସକର୍ମୀଙ୍କୁ କ୍ଷମାପ୍ରାର୍ଥନା କରିଥିଲେ । ହେଲେ ଆପଣ ହିଁ ବିଚାର କରନ୍ତୁ ଗୋଇଠା ମାରି ବିଷ୍ଣୁ କରିବା କେତେ ଦୂର ଯୁକ୍ତିଯୁକ୍ତ ।

ଇଏ ତ ଥିଲା କାନପୁରର କଥା ଆଉ ଏକ ଖବର ଆସିଛି ଚେନ୍ନାଇରୁ । ଏଠାରେ ଜଣେ ୫ ବର୍ଷୀୟା ଝିଅର ଓପନ୍ ହାର୍ଟ ସର୍ଜରୀ ପାଇଁ ପୋଲିସ୍ ୫ ଲକ୍ଷ ଟଙ୍କା ଯୋଗାଡ଼ କରିଦେଲେ । କରୋନା କାଳରେ କୁନିଝିଅର ପିତାଙ୍କ ପାଖରେ ଆର୍ଥିକ ସମ୍ବଳ ନଥିଲା ଏପଟେ ଅଲିଅଳୀ ଝିଅର ଚିିକିତ୍ସା ଖର୍ଚ୍ଚ ବୋଝ ଉପରେ ନଳିତା ବିଡ଼ା ସଦୃଶ ଥିଲା । ଝିଅଟିର କଥା ଶୁଣିବା ପରେ ପଡୋଶୀରେ ଥିବା ହେଡ଼୍ କନେଷ୍ଟବଳ ଥାନାରେ ଏନେଇ କଥା ଉଠାଇଥିଲେ ।

କୁନିଝିଅଟିକୁ ବଂଚାଇବା ପାଇଁ ଅନ୍ୟ କର୍ମଚାରୀମାନେ ଆଗକୁ ଆସିଲେ ଏବଂ ଦେଖୁଦେଖୁ ୫ ଲକ୍ଷ ଟଙ୍କାର ଯୋଗାଡ଼ ହୋଇଗଲା । ୭ ଘଣ୍ଟାର ଲମ୍ବା ଅପରେସନ୍ ପରେ ଝିଅଟିର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି । ତେବେ ୨ ଟି ସ୍ଥାନରୁ ଆସିଥିବା ଏହି ୨ ଟି ଘଟଣା ପ୍ରଶଂସା ଏବଂ ନିନ୍ଦା ଉଭୟକୁ ଦର୍ଶାଉଛି । ସମାଜର ଏହି ରକ୍ଷକ ପାଇଁ କେଉଁଠି ସ୍ୱତଃପ୍ରବୃତ୍ତ ତାଳି ବାଜୁୁଛି ତ ଆଉ କେଉଁଠି ଆତ୍ମଗର୍ବୀ ଲୋକଙ୍କର ଗାଳିର ଶିକାର ହେଉଛି କରୋନା ଯୋଦ୍ଧା ।