ସାଇବର ଠକାମିର ଶିକାର ପରେ… । ଅଜୟଙ୍କୁ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଯୋଗାଇବ ଚେନ୍ନାଇ କମ୍ପାନୀ ।

248

କନକ ବ୍ୟୁରୋ: ବ୍ଲାକ ଫଙ୍ଗସ ରୋଗରେ ପୀଡିତ ଅଜୟ ଭୁୟାଁଙ୍କୁ ଜୀବନ ରକ୍ଷାକାରୀ ଲିପୋସମାଲ ଇଂଜେକ୍ସନ ଯୋଗାଇ ଦେବ ଚେନ୍ନାଇ କମ୍ପାନୀ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏହି ଇଂଜେକ୍ସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ନେକ୍ସଜେନମେଡ ଫାର୍ମାସି ପ୍ରାଇଭେଟ୍ ଲିମିଟେଡ୍ । ଏଥିସହ ନିଜକୁ କମ୍ପାନିର ପ୍ରତିନିଧି କହି ୪୮ ହଜାର ଟଙ୍କା ଠକି ନେଇଥିବା ଅରୁଣ କୁମାର ବିରୋଧରେ ସାଇବର ଅପରାଧ ଆଇନରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ସୁପାରିଶ କରିଛି ।

ତେବେ ପ୍ରଶ୍ନ ଉଠୁଛି, କମ୍ପାନୀ ନାଁରେ ଇଂଜେକ୍ସନ ଯୋଗାଇ ଦେବା ପାଇଁ ଅନଲାଇନରେ ଠକାମି ହେଉଥିବାବେଳେ କେମିତି ଜାଣିପାରି ନଥିଲେ କମ୍ପାନୀ କର୍ତୁପକ୍ଷ । ଇଂଜେକ୍ସନ ଯୋଗାଇଦେବାକୁ କହି ଠକ୍ ଜଣଙ୍କ କେବଳ ଅଜୟ ଭୁୟାଁଙ୍କୁ ଠକି ଥିଲେ ନା ଆଉ କେତେଜଣଙ୍କୁ ଠକିଛନ୍ତି । ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି ।

ଅଜୟ ଭୁୟାଁ ନାମକ ରୋଗୀ ଜଣକ ବ୍ଲାକ ଫଙ୍ଗସ ଭଳି ଏକ ମାରାତ୍ମକ ରୋଗରୁ ଆରୋଗ୍ୟ ହେବା ପାଇଁ ସଂଘର୍ଷ କରୁଥିବାବେଳେ, ଏମ୍ସ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା, ଲିପୋସମାଲ ଇଂଜେକସନ ବାହାରୁ ଆଣିବା ପାଇଁ କାରଣ ଏହା ହସ୍ପିଟାଲରେ ମିଳୁନାହିଁ । ଏଭଳି ପରିସ୍ଥିତିରେ ଇଞ୍ଜେକସନ ଯୋଗାଇ ଦେବାକୁ କହି ଅଜୟଙ୍କ ପରିବାର ଠାରୁ ୪୮ ହଜାର ଟଙ୍କା ଠକି ନେଇଥିଲା ଠକ ଅରୁଣ କୁମାର । ସେ ତାମିଲନାଡୁର ନେକ୍ସଜେନମେଡ ଫାର୍ମାସୀ ପ୍ରାଇଭେଟ ଲିମିଟେଡର ପ୍ରତିନିଧି କହି ଇଂଜେକ୍ସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଟଙ୍କା ନେବା ପରେ ଇଂଜେକସନ ଆସିନଥିଲା କି ଏବଂ ତାର ଫୋନ ବି ବନ୍ଦ ହୋଇଯାଇଥିିଲା ।

ମହାମାରୀ କରୋନା ଓ ବ୍ଲାକଫଙ୍ଗସ ଭଳି ରୋଗରେ ଅନେକ ଆକ୍ରାନ୍ତ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଏଭଳି ସମୟରେ ଅତି ଜରୁରୀ ଇଂଜେକ୍ସନ ଯୋଗାଇଦେବାକୁ କହି ଠକେଇ ଖବର ସାମନାକୁ ଆସିବା ପରେ ଏହାକୁ ଗୁରୁତ୍ୱର ସହ ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ ।