କନକ ବ୍ୟୁରୋ : କରୋନାର ଦ୍ରୁତ ସଂକ୍ରମଣ ସହ ଦେଶରେ ଡାକ୍ତରଖାନା ଗୁଡିକ ଉପରେ ବି ବଢୁଛି ଚାପ । ଚେନ୍ନାଇ, ଅହମ୍ମଦାବାଦ, ମୁମ୍ବାଇ, ଦିଲ୍ଲୀ ଓ କୋଲକାତା ଭଳି ସହରରେ କରୋନା ସଂକ୍ରମଣ ବଢିବା ସହ ଡାକ୍ତରଖାନାରେ ରୋଗୀଙ୍କ ବି ସଂଖ୍ୟା ବୃଦ୍ଧି ପାଇଛି । ତେବେ ଭଲ ଖବର ହେଲା, ଅଧିକାଂଶ ରୋଗୀଙ୍କ ଲକ୍ଷଣ ସାମାନ୍ୟ ରହୁଛି ଏବଂ ଅକ୍ସିଜେନ ଓ ଭେଂଟିଲେଟରର ଆବଶ୍ୟକତା ପଡୁନାହିଁ । ଚେନ୍ନାଇରେ ଡିସେମ୍ବର ତୁଳନାରେ ଜାନୁଆରୀରେ ୩ ଗୁଣ କୋଭିଡ ଆକ୍ରାନ୍ତ ଡାକ୍ତରଖାନା ଆସିଲେଣି ।
ଡିସେମ୍ବର ୩ରେ ଏହି ସଂଖ୍ୟା ୫୦୭ ଥିବାବେଳେ ଜାନୁଆରୀ ୩ରେ ଏହି ସଂଖ୍ୟା ୧୭୫୪ ହୋଇଛି । ତାମିଲନାଡୁରେ ୧୪ ପ୍ରତିଶତ କୋଭିଡ ବେଡ୍ ଭର୍ତ୍ତି ହୋଇଛି । ମୁମ୍ବାଇରେ ରୋଗୀଙ୍କ ଆଡମିଶନରେ ୬୮ ପ୍ରତିଶତ ବୃଦ୍ଧି ଘଟିଛି । ମଙ୍ଗଳବାରଦିନ ୫୭୪ ରୋଗୀ ଭର୍ତ୍ତି ହୋଇଥିବାବେଳେ ବୁଧବାରଦିନ ଏହା ୮୩୪ ହୋଇଛି । ପୁଣେରେ ୧୦ ପ୍ରତିଶତ ଅଧିକ ରୋଗୀ ଡାକ୍ତରଖାନା ଆସିଛନ୍ତି । କୋଲକାତାରେ ରୋଗୀଙ୍କ ହସପିଟାଲରେ ଭର୍ତ୍ତି ହେବା ୪ ଗୁଣା ବଢିଛି । ଦିଲ୍ଲୀରେ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ନଭେମ୍ବରରେ ମାତ୍ର ୧୦ ଜଣ ରୋଗୀ ଥିବାବେଳେ ଏବେ ଏହା ୭୦ରେ ପଂହଚିଛି ।