କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଚିନାବ ନଦୀରେ ବିଶ୍ୱର ସବୁଠୁ ଉଚ୍ଚତମ ରେଳ ବ୍ରିଜ ନିର୍ମାଣ କରୁଛି ଭାରତୀୟ ରେଳବିଭାଗ । ଏହି ବ୍ରିଜଟି ଆସନ୍ତା ଡିସେମ୍ବର ମଧ୍ୟରେ ଯାତାୟତ ପାଇଁ ଖୋଲାଯିବ । ଚିନାବ ବ୍ରିଜ ପ୍ୟାରିସର ଏଫିଲ ଟାୱର ଠାରୁ ୩୫ ମିଟର ଅଧିକ ଉଚ୍ଚ ଥିବା ବେଳେ ଏହାର ଲମ୍ବ ୧.୩ କିଲୋମିଟର । ଅଧ ନିର୍ମିତ ଏହି ବ୍ରିଜ ବେଶ ସୁନ୍ଦର ଦିଶୁଛି । ଚାରିପଟେ ପାହାଡ ଘେରା ଭିତରେ ଏହି ବ୍ରିଜଟି ବେଶ ଆକର୍ଷଣୀୟ ଲାଗୁଛି ।
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି କହିଛନ୍ତି, ବାଦଲ ଉପରେ ବିଶ୍ୱର ସବୁଠୁ ଉଚ୍ଚ ଚିନାବ ବ୍ରିଜ୍ । ରେଳମନ୍ତ୍ରୀ ସେୟାର କରିଥିବା ଏହି ଫଟୋଟି କୌଣସି ଦର୍ଶନୀୟ ସ୍ଥାନ ଠାରୁ ବି କମ ନୁହେଁ । ଏହି ବ୍ରିଜଟି ଏତେ ଉପରେ ଯେ, ବାଦଲ ବି ଏହାର ତଳେ ରହିଛି । ବ୍ରିଜ ତଳେ ଧଳା ବାଦଲ ଖଣ୍ଡ ଭାସୁଥିବା ବେଳେ ବେଶ ମନୋରମ ଦିଶୁଛି ।
The world's highest #arch#ChenabBridge over the clouds. pic.twitter.com/0fkKFc4Nte
— Ashwini Vaishnaw (@AshwiniVaishnaw) February 7, 2022
ଚିନାବ ନଦୀରୁ ପ୍ରାୟ ୩୫୯ ମିଟର ଉଚ୍ଚରେ ଏହି ବ୍ରିଜ୍ ନିର୍ମାଣ ହେଉଛି । ଗତବର୍ଷ ଏହି ବ୍ରିଜର ମେହରାବ କାମ ଶେଷ ହୋଇଥିଲା । ଏହି ମେହରାବର ମୋଟ ଓଜନ ୧୦୬୧୯ ମେଟ୍ରିକ ଟନ୍ ହୋଇଥିବା ବେଳେ ପ୍ରଥମଥର ପାଇଁ କେବଲ କ୍ରେନ୍ ସାହାଯ୍ୟରେ ଏହାକୁ ଯୋଡା ଯାଇଥିଲା । ଏହି ବ୍ରିଜକୁ ନିର୍ମାଣ କରିବା ପଛର ସବୁଠୁ ବଡ କାରଣ ହେଲା କାଶ୍ମୀର ଘାଟି ଅଞ୍ଚଳକୁ ଯୋଗାଯୋଗର ସଂଯୋଗୀକରଣ । ଉଧମପୁର-ଶ୍ରୀନଗର-ବାରମୁଲା ପରିଯୋଜନାରେ ୧୪୮୬ କୋଟି ଟଙ୍କା ବ୍ୟୟରେ ଏହି ବ୍ରିଜ୍ ନିର୍ମାଣ କରାଯାଉଛି ।