ଛେଳିଗଡ ପ୍ରକଳ୍ପର ଦୁଃଖ । ଆଜି ଯାଏଁ ସରିନି ବିସ୍ଥାପିତଙ୍କ ଥଇଥାନ । ୩ ଦଶନ୍ଧି ଧରି ବିସ୍ଥାପନ ସରିନି, କେବେ ସରିବ ଛେଳିଗଡ ପ୍ରକଳ୍ପ

89

କନକ ବ୍ୟୁରୋ: ଚାଷ ଓ ଚାଷୀଙ୍କ ଉନ୍ନତି ଲାଗି ସରକାରଙ୍କ ଅନେକ ଯୋଜନା ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାର ଚାଷ ଜମିକୁ ଜଳସେଚିତ କରିବା ସହ ବିଦ୍ୟୁତ ଉତ୍ପାଦନ ଉଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଜପତି ଜିଲ୍ଲାର ଛେଳଗଡ ଠାରେ ବୃହର ଜଳଭଣ୍ଡାର ନିର୍ମାଣ କରାଯାଉଛି । ପ୍ରକଳ୍ପ ନିର୍ମାଣରେ ବିଳମ୍ୱ ଓ ବିସ୍ଥାପନ କ୍ଷତିପୂରଣ ପ୍ରଦାନରେ ଅବହେଳାକୁ ନେଇ ଅସନ୍ତୋଷ ଦାନ ବାନ୍ଧୁଛି । ସେପଟେ ପ୍ରକଳ୍ପ କାମକୁ ନେଇ ଆକ୍ସନ ମୋଡରେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ।

  • ବିସ୍ଥାପିତଙ୍କ ଥଇଥାନ ପାଇଁ ଲାଗିଲାଣି ୩ ଦଶନ୍ଧି
  • ପ୍ରକଳ୍ପ କାର୍ଯ୍ୟକ୍ଷେମ ପାଇଁ ଆଉ କେତେ ବର୍ଷ?

ଗଜପତି ଜିଲ୍ଲାର ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଞ୍ଜାମର ୫ ହଜାର ଓ ଗଜପତିର ହଜାରେ ହେକ୍ଟର ଜମି ଜଳସେଚିତ ହେବ। କିନ୍ତୁ ଜଳଭଣ୍ଡାରରେ ବୁଡିଯିବ ୫ଟି ଗାଁ, ଜଳମଗ୍ନ ହେବ ଛେଳିଗଡ଼ ଓ ମହେନ୍ଦ୍ରଗଡ଼ର ୫୭୪ ହେକ୍ଟର ଅଞ୍ଚଳ। ତିଳିଗାଁ, ବିଦ୍ୟାଧରପୁର, ସୁଗୁବା, କାକାଲି, ଚଡିଆପଦା ଗାଁର ୩୩୮ ବିସ୍ଥାପିତ ପରିବାରଙ୍କ ସଂପୂର୍ଣ୍ଣ ଥଇଥାନ ହୋଇପାରିନି।୧୯୮୫ରେ ପ୍ରକଳ୍ପ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସର୍ଭେ ହୋଇଥିଲା। ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ୧୯୮୯ରେ ୫୭ କୋଟି ବ୍ୟୟ ବରାଦ ହୋଇଥିଲା। ୨୦୦୪ରୁ କାମ ଆରମ୍ଭ ହୋଇଥିଲେ ବି ବିସ୍ଥାପନ ଅଡୁଆ ହେବାରୁ ୨୦୦୫ରେ ଏହାର ଅଟକଳ ୨ଶହ କୋଟିକୁ ବଢିଥିଲା। ପରବର୍ତି ସମୟରେ ଆର୍ଥିକ ଅନୁଦାନ ୯୩୬ କୋଟି ୬୩ ଲକ୍ଷରେ ପହଞ୍ଚିଛି। ତଥାପି, ଏଯାଏଁ ବିସ୍ଥାପିତଙ୍କ ସମସ୍ୟା ଦୂର ହୋଇପାରିନି ।

  • ସୁଗୁଵା ଗାଁରୁ ୧୦୫ ପରିବାରଙ୍କୁ ବିସ୍ଥାପିତ କରି ଗଡ଼ସମନ୍ତରାପୁର ମୈଜାର ୨୭୪ ଏକର ଜମିରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି
  • କାକିଲି ଗାଁର ୬୮ ପରିବାରଙ୍କୁ ବାବୁଲିବନ୍ଧ ମୈଜାର ୧୦୧ ଏକର ଜମିରେ ଥଇଥାନ ପାଇଁ କଲୋନୀ ନିର୍ମାଣ ସରିଛି
  • ତିଳିଗାଁର ୭୫ ପରିବାରଙ୍କୁ ବାଲିପାଟ ମୈଜାରେ ୧୫୧ ଏକର, ଚଡିଆପଦା ଗାଁର ୩୫ ପରିବାରଙ୍କୁ ଚାକୁଣ୍ଡାପଲ୍ଲୀ ଗାଁର ୭୫ ଏକର ଜମିରେ ଥଇଥାନ ପ୍ରକ୍ରିୟା ଚାଲିଛି
  • ବିବାଦୀୟ ବିଦ୍ୟାଧରପୁର ଗାଁର ୫୫ ପରିବାରର ଥଇଥାନ ପାଇଁ ସଇଲଙ୍ଗ ଗାଁ ପାହାଡ ଉପରେ ନିର୍ମାଣ ଚାଲିଛି ବିଦ୍ୟାଧରପୁର କଲୋନୀ
  • ଏହାକୁ ନେଇ ବିସ୍ଥାପିତଙ୍କ ମନରେ ଦୁଃଖ ଥିବା ବେଳେ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ଜମି ଅଧିଗ୍ରହଣ ସହ ଗାଁକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ କାମ ଜୋରସୋରରେ ଚାଲିଛି ।

ଛେଳିଗଡ଼ ପ୍ରକଳ୍ପର ୩ଟି ଟନେଲରୁ ୩୬ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଏହାସହ ବ୍ରହ୍ମପୁର ସହରକୁ ଏକ କ୍ୟୁବିସେକ୍ ପାନୀୟ ଜଳ ଯୋଗାଣ ହୋଇପାରିବ। ତେବେ ଚାଷ ଜମି ବାବଦରେ ଉପଯୁକ୍ତ କ୍ଷତିପୁରଣ ମିଳୁନଥିବାରୁ ଅଧିକାଂଶ ବିସ୍ଥାପିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ବୁଡି ଅଂଚଳବାସୀଙ୍କୁ ବୁଝାଇବାକୁ ୩ ଦଶନ୍ଧି ଲାଗିଲାଣି, ପ୍ରକଳ୍ପ କାର୍ଯ୍ୟକ୍ଷେମ ପାଇଁ ଆଉ କେତେ ବର୍ଷ ଲାଗିବ ବୋଲି ପ୍ର୍ରଶ୍ନ ଉଠିଛି। ସେପଟେ ପ୍ରକଳ୍ପ କାମରେ ବିଳମ୍ୱ ଓ ବିସ୍ଥାପିତଙ୍କ ଅସନ୍ତୋଷକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ୨୦୦୪ରୁ ଆରମ୍ଭ ହୋଇଥିବା ପ୍ରକଳ୍ପ କାମ ଏଯାଏଁ ମାତ୍ର ୪୦ ପ୍ରତିଶତ ସରିଛି। ଆହୁରି ଅନେକ କାମ ବାକି ରହିଛି । ଦିଗପହଣ୍ଡିରେ କେନାଲ ଡିଭିଜନ କାମ ଚାଲିଥିବା ବେଳେ ପ୍ରକଳ୍ପ ସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ବିସ୍ଥାପିକଙ୍କୁ ଭେଟିଛନ୍ତି ବିଧାୟକ ।

ଏବେ ନଜର ରହିବ, ୨୦ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏଇ ସରକାର ସମୟରେ ଶେଷ ହେଉଛି ନା ଆଉ କେତେ ବର୍ଷ ଲାଗୁଛି ।