ଦକ୍ଷିଣ ଭାରତର ପ୍ରଥମ ହିନ୍ଦୀ ସାକ୍ଷର ଗାଁ ହେବ ଚେଲାନୁର। ପ୍ରବାସୀ ଶ୍ରମିକ ଗାଁ ଭାବେ କେରଳରେ ପ୍ରସିଦ୍ଧ।

69

କନକ ବ୍ୟୁରୋ: ଦକ୍ଷିଣ ଭାରତୀୟ ରାଜ୍ୟ ଯଥା କେରଳ, ତାମିଲନାଡୁରେ ହିନ୍ଦୀ ଭାଷାକୁ ନେଇ ଆରୋପ-ପ୍ରତ୍ୟାରୋପ ଓ ବିରୋଧ ଜାରିରହିଛି । ହିନ୍ଦୀ ଭାଷାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲଗାତର ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳେ । ଏହାରି ଭିତରେ କେରଳର ଚେଲାନୁର ଗାଁ ଖୁବଶୀଘ୍ର ଦକ୍ଷିଣ ଭାରତର ପ୍ରଥମ ଗାଁ ଭାବେ ହିନ୍ଦୀ ଭାଷାରେ ଶତପ୍ରତିଶତ ସାକ୍ଷରତା ହାସଲ କରିବାକୁ ଯାଉଛି । ୨୦ରୁ ୭୦ ବର୍ଷ ବୟସର ଲୋକଙ୍କୁ ହିନ୍ଦୀ ଶିକ୍ଷା ଦେବା ଲକ୍ଷ୍ୟରେ ଚେଲାନୁର ଗତବର୍ଷ ହିନ୍ଦୀ ସାକ୍ଷରତା ପ୍ରୋଜେକ୍ଟ ଆରମ୍ଭ କରିଥିଲା । କିନ୍ତୁ ସେଠାରେ ହିନ୍ଦୀ ଶିଖିବାର ଆଗ୍ରହ ଏତେ ବଢ଼ିଛି ଯେ ୭୦ ବର୍ଷରୁ ଊଦ୍ଧ୍ୱର୍ ଲୋକ ହିନ୍ଦୀ ଶିଖିବାକୁ କ୍ଲାସରୁମରେ ପହଂଚି ଯାଉଛନ୍ତି ।

କେରଳର ଚେଲାନୁର ଗାଁରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରହୁଛନ୍ତି । ସେମାନଙ୍କ ସହ ଉତମ ଯୋଗାଯୋଗ ସ୍ଥାପନ ପାଇଁ ଗତବର୍ଷ ହିନ୍ଦୀ ସାକ୍ଷରତା ଅଭିଯାନ ଆରମ୍ଭ ହୋଇଥିଲା । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ସୁଦ୍ଧା ଚେଲାନୁରୁକୁ ସମ୍ପୂର୍ଣ୍ଣ ହିନ୍ଦୀ ସାକ୍ଷର ପଞ୍ଚାୟତ ଭାବେ ଘୋଷଣା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପଞ୍ଚାୟତ ପଦାଧିକାରୀଙ୍କ କହିବା ଅନୁସାରେ, ଚେଲାନୁରୁ ସମ୍ଭବତଃ କେବଳ କେରଳ ନୁହେଁ, ସମଗ୍ର ଦକ୍ଷିଣ ଭାରତରେ ପ୍ରଥମ ପଞ୍ଚାୟତ ହେବ, ଯାହା ହିନ୍ଦୀରେ ସମ୍ପୂର୍ଣ୍ଣ ସାକ୍ଷରତା ଲାଭ କରିବ । ଗ୍ରାମବାସୀଙ୍କ ମଧ୍ୟରେ ହିନ୍ଦୀର ଲୋକପ୍ରିୟତାକୁ ଦେଖିଲେ ଏହି ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।