ଜାତୀୟ କୁନୋ ଉଦ୍ୟାନରୁ ଆସିଲା ଭଲ ଖବର । ୩ ଶାବକଙ୍କୁ ଜନ୍ମ ଦେଲା ଚିତା ଜ୍ୱାଲା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ।

115

କନକ ବ୍ୟୁରୋ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ତିନି ଶାବକଙ୍କୁ ଜନ୍ମ ଦେଇଛି ନାମିବିଆରୁ ଆସିଥିବା ଚିତା ଜ୍ୱାଲା । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ଏହା ସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିରେ ଚିତା ଶାବକ ମା’ ପାଖରେ ଖେଳୁଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ଚିତା ଆଶା ତିନି ଶାବକଙ୍କୁ ଜନ୍ମ ଦେଇଥିଲା ।

୨୦୨୨ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୮ଟି ଚିତା ନାମିବିଆରୁ ଅଣାଯାଇଥିଲା । ଏହା ପରେ ୨୦୨୩ ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଆଣି କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିଲା । ଭାରତୀୟ ଜଳବାୟୁ ସହ ଖାପ ନଖୁଆଇପାରି ଏପର୍ଯ୍ୟନ୍ତ ବଡ଼ ଓ ଶାବକଙ୍କୁ ମିଶାଇ ମୋଟ୍ ୧୦ଟି ଚିତାଙ୍କର ମୃତ୍ୟୁ ହୋଇସାରିଛି । ଏବେ ଭାରତରେ ମୋଟ୍ ୧୪ ବଡ଼ ଓ ୭ ଚିତା ଶାବକ ଅଛନ୍ତି । ଭାରତରେ ଚିତା ବଂଶ ବୃଦ୍ଧି ଯୋଜନାର ସଫଳତା ଏବେ ବି ବିତର୍କ ଘେରରେ ରହିଛି ।