କରୋନା ପାଇଁ ମାଟ୍ରିକ ଖାତାଦେଖା ବିଳମ୍ବ: ବୋର୍ଡ ସଭାପତିଙ୍କ ସୂଚନା; ଲକଡାଉନ ପରେ ଖାତାଦେଖା ତୁରନ୍ତ ସାରିବାକୁ କରାଯିବ ବ୍ୟବସ୍ଥା…ମୂଲ୍ୟାୟନ କେନ୍ଦ୍ର ବଢିବା ସହ ବଢିବେ ଖାତା ମୂଲ୍ୟାୟନକାରୀ

328

କନକ ବ୍ୟୁରୋ: ତାଲାବନ୍ଦ ଉଠିଲେ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ତେବେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇନଥିବା ବେଳେ ଲକଡାଉନ କଟକଣା ହଟିଲେ ମାଟ୍ରିକ ଉତ୍ତର ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଖୁବ୍ ଶୀଘ୍ର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିପାରେ ।

ବୋର୍ଡ ସଭାପତିଙ୍କ କହିବା ଅନୁସାରେ, ଚଳିତ ବର୍ଷ ମ୍ୟାଟ୍ରିକ୍ ଖାତା ଦେଖା ବିଳମ୍ବ ହୋଇଛି । ମାତ୍ରା ତାଲାବନ୍ଦ କଟକଣା ହଟିବା ପରେ ଏନେଇ ତୁରନ୍ତ ବ୍ୟବସ୍ଥା କରାଯିବ । ଏଥିସହ ମୂଲ୍ୟାୟନ କେନ୍ଦ୍ରଗୁଡିକୁ ମଧ୍ୟ ବୃଦ୍ଧି କରାଯିବା ସହ ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ତେବେ ତୁରନ୍ତ ଖାତାଦେଖା ସାରିବା ପାଇଁ ବିଭାଗ ପକ୍ଷରୁ ଏକ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଉଭୟ ମୂଲ୍ୟାୟନ କେନ୍ଦ୍ର ଓ ମୂଲ୍ୟାୟାନକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସ୍ଥିର ହୋଇଛି। ପୂର୍ବରୁ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିଲା, ଏବେ ଏହି ସଂଖ୍ୟାକୁ ବୃଦ୍ଧି କରିବାକୁ ଯୋଜନା ହୋଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଏଥରକ ମୂଲ୍ୟାୟନକାରୀଙ୍କ ସଂଖ୍ୟା ବଢ଼ିବ। ତାଲିକାରେ ଥିବା ମୂଲ୍ୟାୟନକାରୀଙ୍କ ବ୍ୟତୀତ ଅପେକ୍ଷାରତ ତାଲିକାରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବି ଡକାଯାଇପାରେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ, ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଲକଡାଉନ ସରିବାର ସାତ ଦିନରେ ଦଶମ ଶ୍ରେଣୀ ଖାତା ଦେଖା ଆରମ୍ଭ ହେବ। ମୂଲ୍ୟାୟନ ଆରମ୍ଭ ହେବାର ୪୫ ଦିନ ମଧ୍ୟରେ ଖାତା ମୂଲ୍ୟାୟନ ସହ ଫଳ ପ୍ରକାଶ କରାଯିବ। ତେବେ ଲକ୍ଡାଉନ ସରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗ୍ରିନ ସିଗନାଲକୁ ଆମେ ଅପେକ୍ଷା କରିବୁ। ଉତ୍ତର ମିଳିବା କ୍ଷଣି ଖାତା ଦେଖା ହେବ। ଖାତା ଦେଖା ଲାଗି ଅଧିକ କେନ୍ଦ୍ର କରାଯିବ, ୱେଟିଂ ଲିଷ୍ଟରେ ଥିବା ଶିକ୍ଷକମାନଙ୍କୁ ଖାତା ଦେଖା ପାଇଁ ନିୟୋଜିତ କରାଯିବ। ସେହିଭଳି ମୂଲ୍ୟାୟନ ସମୟରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରାଯିବ। ମୂଲ୍ୟାୟନକାରୀଙ୍କ ମଧ୍ୟରେ ଦୁଇ ମିଟର ଲେଖାଏ ଦୂରତ୍ୱ ରହିବ। ଖାତା ବଣ୍ଟନ ଓ ମୂଲ୍ୟାୟନ ପାଇଁ କିଛି ନିୟମ ଲାଗୁ ହେବ। ମୂଲ୍ୟାୟନ କେନ୍ଦ୍ରକୁ ଯିବା ସମୟରେ ମାସ୍କ ଓ ସାନିଟାଇଜେସନକୁ ପ୍ରାଥମିକତା ଦିଆଯିବ।