ଭୟ ବଢାଉଛି ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁ : ପଶ୍ଚିମବଙ୍ଗ ସୀମାରେ ପ୍ରଶାସନର କଡ଼ା କଟକଣା, ଅଟକି ରହିଲା ବର

ସରକାରଙ୍କ ନିର୍ଦ୍ଦେଶ ପରେ ସିଲ ହେଲା ପଶ୍ଚିମବଙ୍ଗ ସୀମାଚ ଲକ୍ଷ୍ମଣନାଥ ତନଖି ଫାଟକରେ କଡ଼ାକଡ଼ି ଚେକିଂ

1,596

କନକ ବ୍ୟୁରୋ : ବଙ୍ଗଳା ସୀମାରେ ଅଟକି ରହିଛି ବର । କେମିତି ହେବ ବାହାଘର । ପଶ୍ଚିମବଙ୍ଗରୁ ଆସୁଥିବା ବରଗାଡିକୁ ଓଡିଶା ଭିତରକୁ ଯିବା ପାଇଁ ଅନୁମତି ମିଳିବ ନା ନାହିଁ । ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ବରପକ୍ଷ । ତେବେ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁକୁ ନେଇ ରାଜ୍ୟ ସରକାର ଅଧିକ ସଚେତନ ହୋଇଛନ୍ତି । ପଶ୍ଚିମବଙ୍ଗ ସୀମାକୁ ସିଲ କରି ଦିଆଯାଇଛି । ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଇଛି । ପଶ୍ଚିମବଙ୍ଗ-ଓଡିଶା ସୀମାନ୍ତ ଲକ୍ଷ୍ମଣନାଥ ତନଖି ଫାଟକ ପାଖରେ ବାଲେଶ୍ୱର ପ୍ରଶାସନର କଡା ନଜରରେ ଅଟକି ରହିଛି ପଶ୍ଚିମବଙ୍ଗରୁ ଆସୁଥିବା ୨ଟି ବର ଗାଡିି ।

ଏଥିପାଇଁ ମୟୁରଭଞ୍ଜ ଓ ବାଲେଶ୍ୱର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡିଶାକୁ ସଂଯୋଗ କରୁଥିବା ପଶ୍ଚିମବଙ୍ଗର ସମସ୍ତ ମୁଖ୍ୟ ରାସ୍ତା ଓ ଗଳାବାଟକୁ ମଧ୍ୟ ସିଲ କରାଯାଇଛି । ଏଥିସହ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖୀ ଫାଟକରେ କଡାକଡି ଚେକିଂ କରାଯାଉଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡିଗୁଡିକୁ ପ୍ରବେଶ ଅନୁମତି ଦିଆଯାଉଛି । ଯେଉଁମାନଙ୍କ ୪୮ ଘଂଟା ପୂର୍ବରୁ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଥିବ ସେମାନେ ଆସିବା ପାଇଁ ଅନୁମତି ମିଳିବ ।

କିନ୍ତୁ ସେମାନେ ହୋମ କ୍ୱାରେଂଟିନରେ ରହିବେ । ଯେଉଁମାନଙ୍କ ନେଟେଟିଭ ରିପୋର୍ଟ ନଥିବା ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ସୀମାରେ ଥିବା ଟିଏମସି କେନ୍ଦ୍ରରେ ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ । ବିମାନରେ ଆସୁଥିବା ଯାତ୍ରୀ ମଧ୍ୟ ୧୪ ଦିନିଆ ସଙ୍ଗରୋଧରେ ରହିବେ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।