କନକ ବ୍ୟୁରୋ: ବିଜେଡି ସରକାର ଯେଉଁ ଲୋକଭିମୁଖୀ ଯୋଜନା ଆରମ୍ଭ କରିିଥିଲା ତାହା ବନ୍ଦ ହୋଇନାହିଁ । ସରକାର ବଦଳିବା ପରେ ବିଏସକେୱାଇ ଯୋଜନାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ତିଆରି ହୋଇଥିଲା ସମାନ ଦ୍ୱନ୍ଦ୍ୱ ୫ ଟଙ୍କିଆ ଯୋଜନା କ୍ଷେତ୍ରରେ ମଧ୍ୟ ରହିଛି । ହେଲେ ରିଏଲିଟି ଚେକ୍ ପରେ ଜଣାପଡିଛି ବନ୍ଦ ହୋଇନାହିଁ ୫ ଟଙ୍କିଆ ଆହାର କେନ୍ଦ୍ର । ଏବେ ବି ବିଭିନ୍ନ ସ୍ଥାନରେ ଲୋକଙ୍କ ଧାଡି ଲାଗୁଛି । ଲକ୍ଷ୍ମୀ ଯୋଜନାରୁ ଲୋଗୋ ହଟିଥିଲେ ବି ବସ ଗଡୁଛି ।

Advertisment

ରାଜ୍ୟରୁ ବିଜେଡି ସରକାର ଗାଦିଚ୍ୟୁତ ହୋଇଛି । ଏହାପରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସରୁ ଏବେ ଲକ୍ଷ୍ମୀ ଲୋଗୋ ଉଭାନ । ଏହି ସରକାରୀ ବସରେ ଦୁଇ ମହିଳା ଶଙ୍ଖ ଫୁଙ୍କୁ ଥିବା ଲୋଗୋ ରହିଥିବା ବେଳେ ତାହା ଏବେ କାଢି ଦିଆଯାଇଛି । ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ଆସିବା ପରେ ବସ କର୍ମଚାରୀ ମାନେ ଏହି ଲୋଗୋ କାଢି ଦେଇ ଥିବା ଜଣା ପଡିଛି । ଅନୁମାନ କରାଯାଉଛି ନିର୍ବାଚନ ଚାଲିଥିବା ବେଳେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ଏଭଲି ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବସ ମାଧ୍ୟମରେ ଛାତ୍ର, ଛାତ୍ରୀ, ମହିଳା, ଗରିବ ଗୁରିବା ମାତ୍ର ୫ ଟଙ୍କାରେ ପଂଚାୟତ ସ୍ତରରୁ ଯାତାୟାତ କରୁଥିଲେ । ତେଣୁ ଏହାକୁ ବନ୍ଦ ନ କରିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ମାଲକାନଗିରିର ସାଧାରଣ ଜନତା । ଏହି ଲକ୍ଷ୍ମୀ ବସ ସେବା ଗତ ଅକ୍ଟୋବର ୧୨ ତାରିଖରେ ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ ହୋଇଥିଲା ।

୫ ଟଙ୍କାରେ ପେଟକୁ ଦାନା ମୁଠେ ଦେବା ପାଇଁ ବିଜେଡି ସରକାର ଆରମ୍ଭ କରିଥିଲା ଆହାର ଯୋଜନା । ହୋଟେଲରେ ମିଲଟେ ଖାଇବାକୁ ହେଲେ ଆବଶ୍ୟକ ଟଙ୍କା ସମସ୍ତେ ଭରଣ କରିପାରନ୍ତି ନାହିଁ । ଏପରି ସ୍ଥିତିରେ ଅଭାବୀ, ଗରିବ ଲୋକ ଏବଂ ବ୍ୟବସାୟୀଙ୍କ ପାଇଁ ବିଜେଡି ସରକାର ଏହି ସେବା ଆରମ୍ଭ କରିଥିଲେ । ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରରେ ୬୫୦ ଓ ଡାକ୍ତରଖାନା ପରିସର ଆହାର କେନ୍ଦ୍ରରେ ୪୦୦ ମିଲ୍ ପ୍ରସ୍ତୁତ ହେଉଛି । ଏବେ ବି ସେଇ ଧାରା ଲାଗି ରହିଛି । ତେବେ ଏହି ଯୋଜନାର ଭବିଷ୍ୟତକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିଥିବା ବେଳେ ଏହାକୁ ଜାରି ରଖିବାକୁ ନିବେଦନ କରିଛନ୍ତି ଜନସାଧାରଣ ।

ଦୀର୍ଘ ୨୪ ବର୍ଷ ବିଜେଡି ସରକାର ଅନେକ ଯୋଜନା କରିଛି । ଆଉ ଲୋକେ ମଧ୍ୟ ଏହାକୁ ନେଇ ଅଭ୍ୟସ୍ତ । ଏପରି ସ୍ଥିତିରେ ସରକାର ପରିବର୍ତନ ପରେ ଲୋକଙ୍କ ମନରେ ଯୋଜନାର ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।